ଭୁବନେଶ୍ୱର : ମହାନଦୀ ପାଣିକୁ ଛତିଶଗଡ଼ ଅଟକାଉଛି ଓ ଓଡ଼ିଶାକୁ ଆବଶ୍ୟକ ପାଣି ମିଳୁନି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱୀକାର କରିବା ପରେ ବିଜେଡି ପ୍ରତିକ୍ରିୟା ରଖିଛି । ଛତିଶଗଡ଼ ଉପରେ ଚାପ ପକାଇବା ଦରକାର ଏବଂ ୩ରୁ ୪ମାସ ମଧ୍ୟରେ ଆମର ଆବଶ୍ୟକ ପାଣି ଛଡ଼ାଇ ଆଣିବା ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଲେ ସେ ସହଯୋଗର ହାତ ବଢ଼ାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଦେଇଥିବା ବୟାନକୁ ବିଜେଡି କଟାକ୍ଷ କରିଛି । କେନ୍ଦ୍ରମନ୍ତ୍ରୀଙ୍କ ବୟାନରେ ଆନ୍ତରିକତା କମ୍ ଓ ବାଧ୍ୟବାଧକତା ବେଶୀ ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା , ମନ୍ତ୍ରୀ ଶଶୀଭୂଷଣ ବେହେରା, ମନ୍ତ୍ରୀ ପ୍ରତାପ ଜେନା,ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମିଳିତ ଭାବେ ଆଜି ପୁଣିଥରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆଉ ୩ଟି ପ୍ରଶ୍ନ କରିଛନ୍ତି । ଶ୍ରୀ ଦାସବର୍ମା କହିଥିଲେ ଯେ ଯଦି ଶ୍ରୀ ପ୍ରଧାନଙ୍କର ଆନ୍ତରିକତା ଅଛି, ତେବେ ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ସଂଘୀୟ ଦାୟିତ୍ୱ ତୁଲାଇ ଛତିଶଗଡ଼ ସରକାରଙ୍କୁ ନିର୍ମାଣାଧୀନ ବ୍ୟାରେଜ୍ଗୁଡିକ ବନ୍ଦ କରିବା ପାଇଁ ପରାମର୍ଶ ଦେବେକି? ଯେଉଁ ୩ଟି ବ୍ୟାରେଜ୍ ପାଇଁ ନୂଆ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ତାକୁ ବନ୍ଦ କରିପାରିବେ କି? ରମଣ ସିଂହ କହିଥିଲେ ଯେ ମହାନଦୀର କ୍ୟାଚମେଣ୍ଟ ଏରିଆ ଛତିଶଗଡ଼ରେ ଅଧିକ ଅଛି, ତେଣୁ ଛତିଶଗଡ଼ ୮୫ ପ୍ରତିଶତ ପାଣି ବ୍ୟବହାର କରିବ ଏବଂ ଯେଉଁ ବେଆଇନ୍ ନିର୍ମାଣଗୁଡିକ ଚାଲିଛି, ସେଗୁଡିକ ଚାଲିବ, ସେଥିନେଇ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଶ୍ରୀ ପ୍ରଧାନ ଛତିଶଗଡ଼ ସରକାରଙ୍କୁ ତୁରନ୍ତ ଏ ବିଷୟରେ ପଦକ୍ଷେପ ନେବାକୁ ଦାବି ରଖିବେକି? ଟ୍ରିବ୍ୟୁନାଲର ରାୟ ଆସିବା ପର୍ଯ୍ୟନ୍ତ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରି ମହାନଦୀ କିପରି ବଞ୍ôଚରହିବ ସେଥିପାଇଁ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେବେକି? ଆଜି ପର୍ଯ୍ୟନ୍ତ ମହାନଦୀ ପ୍ରସଙ୍ଗରେ ଭିନ୍ନ ମତ ରଖୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଅଚାନକ ଏଭଳି ପରିବର୍ତ୍ତନକୁ ନେଇ ବିଜେଡି ସନ୍ଦେହ ବ୍ୟକ୍ତ କରିଛି । ବିଜେଡି କହିଛି ଯେ, ଭାରତର କେନ୍ଦ୍ରମନ୍ତ୍ରୀ ହିସାବରେ ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ବିଜେପି ଶାସିତ ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରୁଥିବା ସମସ୍ତ ବେଆଇନ୍ ବ୍ୟାରେଜ୍ଗୁଡିକ ବନ୍ଦ କରିବା ସହ ଟେଣ୍ଡର ଆହ୍ୱାନ କରିଥିବା ନୂତନ ବ୍ୟାରେଜ୍ଗୁଡିକର ସମସ୍ତ ପ୍ରକ୍ରିୟା ବନ୍ଦ କରିବା ପାଇଁ ଶ୍ରୀ ପ୍ରଧାନ ଠୋସ୍ ପଦକ୍ଷେପ ନିଅନ୍ତୁ । ବିଜେଡି ରାଜ୍ୟରେ ଜନମତର ଆନ୍ଦୋଳନ ଚଳାଇଥିବା ବେଳେ ତାଙ୍କର ଏଭଳି ବିବୃତି ହାସ୍ୟାସ୍ପଦ ଏବଂ ସାଢ଼େ ୪ କୋଟି ଜନସାଧାରଣଙ୍କୁ ନିରାଶ କରିଛି । ଦେଶରେ ଯେତେବେଳେ ବିଜେପିର ସ୍ଥିତି ଦୋହଲିବାକୁ ବସିଛି, ସେତେବେଳେ ଓଡ଼ିଶାରେ ନିଜ ଦଳକୁ ବଞ୍ôଚବା ପାଇଁ ଦିଆଯାଇଥିବା ଶ୍ରୀ ପ୍ରଧାନଙ୍କର ଏ ପ୍ରକାର ପ୍ରୟାସ ଓ ବିବୃତି କେବଳ ଲୋକଦେଖାଣିଆ ଏବଂ ଦିନ ଦ୍ୱିପ୍ରହରରେ ଲଣ୍ଠନ ଦେଖାଇବା ସହିତ ସମାନ ବୋଲି ଦଳର ନେତାମାନେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଏବଂ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।


