ଭୁବନେଶ୍ୱର: ଆୟୁଷ୍ମାନ ଯୋଜନା ତୁଳନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯଥେଷ୍ଟ ଭଲ । ରୋଗ କି ଦୁର୍ଘଟଣା ବିପିଏଲ କାର୍ଡ ଦେଖି ଆସେନି । ରାଜ୍ୟର ସବୁବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛି ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ପରୋକ୍ଷରେ ଆୟୁଷ୍ମାନ ଯୋଜନା କେବଳ ବିପିଏଲ କାର୍ଡଧାରୀ ପାଇଁ ଉଦ୍ଦିଷ୍ଟ ବୋଲି ସୂଚାଇ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଆୟୁଷ୍ମାନ ଯୋଜନାକୁ ସମାଲୋଚନା କରିଛନ୍ତି । ଉତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଡ଼କଣର ମଣ୍ଡପ ବସ୍ତିରେ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ବିପିଏଲ୍, ଏପିଏଲ୍ ସମସ୍ତେ ଏ ସୁବିଧା ପାଇବେ । ଆୟୁଷ୍ମାନ ଯୋଜନା ଠାରୁ ଆମ ଯୋଜନା ବହୁତ ଭଲ । ରୋଗ ଓ ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖିକି ଆସେ? ଯାହାର ବିପିଏଲ୍ କାର୍ଡ଼ ନାହିଁ, ସେ କ’ଣ କରିବ? ସେମାନଙ୍କ ପାଇଁ ରାଜ୍ୟ ସରକାର ଅଛି । ରାଜ୍ୟର ସମସ୍ତଙ୍କ ପାଇଁ ରାଜ୍ୟ ସରକାର ଅଛି । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ଼ଧାରୀମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତେ ସୁବିଧା ପାଇବେ । ରାଜ୍ୟ ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ । ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସାରା ରାଜ୍ୟରେ ବେଶ୍ ଭଲ ଭାବରେ ଚାଲିିଛି ।
ଓଡି଼ଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭରସାର ପ୍ରତୀକ ହେଉଛି ବିଜୁ ଜନତା ଦଳ ସରକାର । ଆମେ ସବୁବେଳେ ଲୋକଙ୍କ ସାଥିରେ ଅଛୁ ଓ ଲୋକଙ୍କ ପାଇଁ କାମ କରିଚାଲିଛୁ ।
ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ।ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି। ନମ୍ବର-୧ ଖାଦ୍ୟ ସୁରକ୍ଷା, ନମ୍ବର-୨-ଘର, ନମ୍ବର-୩- ସ୍ୱାସ୍ଥ୍ୟ ଓ ନମ୍ବର-୪- ସାମାଜିକ ନିରାପତ୍ତା।ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ ଯୋଗ୍ୟ ହିତାଧିକାରୀ ଏ ସବୁ ସୁବିଧାରୁ ବଞ୍ଚିତ ହେଲେ, ଏହା ମୋତ ବହୁତ ବାଧିଲା।ଆପଣଙ୍କ ଟଙ୍କାରେ ଓଡ଼ିଶାବାସୀଙ୍କ ଟଙ୍କାରେ ଆମେ ଆରମ୍ଭ କଲୁ ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନ୍ସନ୍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା।ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ।ସେମାନଙ୍କ ପାଇଁ ମଧ୍ୟ ହାଉସିଂ ପ୍ରୋଜେକ୍ଟ କରାଯାଇଛି।ସମସ୍ତଙ୍କ ବିକାଶ ବିଜୁ ଜନତା ଦଳର ଲକ୍ଷ୍ୟ।ଏ ଦିଗରେ ଆମେ କାମ କରି ଚାଲିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ପଦଯାତ୍ରାରେ ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ପୂର୍ବତନ ମେୟର ମିହିର ମହାନ୍ତିଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।


