ବର୍ମିଂହାମ୍: ଲଗାତାର ପାଞ୍ଚଟି ମ୍ୟାଚ୍ ଜିତିବା ପରେ ଟିମ୍ ରବିବାର ଇଣ୍ଡିଆର ବିଜୟରେ ବ୍ରେକ୍ ଲାଗିଛି । ଟିମ୍ ଇଣ୍ଡିଆ ତା’ର ସପ୍ତମ ମୁକାବିଲାରେ ଆୟୋଜକ ଇଂଲଣ୍ଡଠୁ ପରାଜିତ ହୋଇଥିବାବେଳେ ଟିମ୍ ଇଣ୍ଡିଆକୁ ୩୧ ରନରେ ହରାଇ ନିଜର ବିଜୟରଥ ପୁଣିଥରେ ଫେରିଯାଇଛି ।
ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଛି। ଅପରପକ୍ଷରେ ଏହି ପରାଜୟ ପାକିସ୍ତାନ ଓ ବାଂଲାଦେଶକୁ ନିରାଶ କରିଛି। କାରଣ ଭାରତ ମ୍ୟାଚ୍ ଜିତିଥିଲେ, ପାକିସ୍ତାନ ଓ ବାଂଲାଦେଶର ସେମିଫାଇନାଲ୍ ଆଶା ବଳବତ୍ତର ରହିଥାନ୍ତା। କିନ୍ତୁ ଏବେ ପାକିସ୍ତାନକୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।
ଆଜି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ସର୍ବାଧିକ ୧୧୧ (୧୦୯ ବଲ୍, ୧୦ ଚୌକା, ୬ ଛକା) ରନ୍ କରିଥିଲେ। ଶେଷଭାଗରେ ଷ୍ଟୋକ୍ସ ୫୪ ବଲରେ ୬ ଚୌକା ଓ ୩ ଛକା ସହ ଦ୍ରୁତ ୭୯ ରନ୍ କରିଥିଲେ। ଜବାବରେ ରୋହିତ୍ ଶର୍ମାଙ୍କ ଶତକ ଓ ବିରାଟ୍ କୋହଲିଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରୋହିତ୍ ୧୦୯ ବଲରେ ୧୫ ଚୌକା ସହ ୧୦୨ ଓ କୋହଲି ୬୬ (୭୬ ବଲ୍, ୭ ଚୌକା) ରନ୍ କରିଥିଲେ।
ଏହି ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। ଓପ୍ନନର ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସବୁ ଦାୟିତ୍ୱ ରୋହିତ୍ ଓ ବିରାଟଙ୍କ ଉପରକୁ ଚାଲିଆସିଥିଲା। ଦୁହେଁ ଧୈର୍ୟ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ୨୦ ଓଭର ସୁଦ୍ଧା ଭାରତର ସ୍କୋରକୁ ୮୪ ରନରେ ପହଞ୍ଚାଇଥିଲେ। ଏହା ପରେ ଦୁହେଁ ରନ୍ ଗତିକୁ ବଢ଼ାଇଥିଲେ ଏବଂ ଇଂଲଣ୍ଡକୁ ଚିନ୍ତାରେ ପକାଇଥିଲେ।
କୋହଲି ୫୯ ବଲରେ ଓ ରୋହିତ ୬୫ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ କୋହଲି ନିଜ ଅର୍ଦ୍ଧଶତକକୁ ପୁଣିଥରେ ଶତକରେ ପରିଣତ କରିପାରିନଥିଲେ। ତାଙ୍କୁ ଲିଆମ୍ ପ୍ଲଙ୍କେଟ୍ ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରିଷଭ ପନ୍ତ ଦ୍ରୁତ ରନ୍ କରିଥିଲେ। ଏହା ମଧ୍ୟରେ ରୋହିତ୍ ୧୦୬ ବଲରେ ଶତକ ମାରିଥିଲେ। ଶତକ ମାରିବା ପରେ ରୋହିତଙ୍କ ଉପରେ ଆଶା ବଢ଼ିଯାଇଥିଲା, କିନ୍ତୁ ସେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରି ନିଜ ୱିକେଟ୍ ଦେଇ ବସିଥିଲେ।
ରୋହିତଙ୍କୁ କ୍ରିସ୍ ଓକ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଦ୍ରୁତ ରନ୍ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ତାଙ୍କୁ ମଧ୍ୟ ପନ୍ତ ଭଲ ସହଯୋଗ କରିଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଭାରତର ବିଜୟ ଆଶା ଶେଷ ହୋଇଯାଇଥିଲା। ପନ୍ତ ୨୯ ବଲରେ ୪ ଚୌକା ସହ ୩୨ ରନ୍ କରି ପ୍ଲଙ୍କେଟଙ୍କ ଶିକାର ହୋଇଥିଲେ। ସେହିପରି ହାର୍ଦ୍ଦିକଙ୍କୁ ମଧ୍ୟ ପ୍ଲଙ୍କେଟ୍ ନିଜର ଶିକାର ବନାଇଥିଲେ। ହାର୍ଦ୍ଦିକ ୩୩ ବଲରେ ୪ ଚୌକା ସହ ୪୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ଶେଷ ପର୍ୟ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ । ସେ ୩୧ ବଲରେ ୪ ଚୌକା ଓ ୧ ଛକା ସହ ୪୨ ଏବଂ କେଦାର ଯାଦବ ୧୨ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ପ୍ଲଙ୍କେଟ୍ ୩ଟି ଓ ଓକ୍ସ ୨ଟି ୱିକେଟ୍ ନେଇଥିଲେ।
ଏଜବାଷ୍ଟନରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଅନୁକୂଳ ଏହି ପିଚରେ ଭାରତୀୟ ବୋଲରଙ୍କୁ ପ୍ରଥମରୁ ହିଁ ଆକ୍ରମଣ କରିଥିଲେ ଇଂଲଣ୍ଡର ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ଜେସନ୍ ରୟ। ଦୁହେଁ ୧୦ ଓଭର ସୁଦ୍ଧା ଧୈର୍ୟ୍ୟର ସହ ବ୍ୟାଟିଂ କରି ଟିମକ ସ୍କୋରକୁ ବିନା ୪୭ ରନରେ ପହଞ୍ଚାଇଥିଲେ। କିନ୍ତୁ ଏହା ପରେ ଦୁହେଁ ଗିୟର ବଦଳାଇଥିଲେ ଏବଂ ୧୫.୩ ଓଭରରେ ଟିମକୁ ୧୦୦ ରନରେ ପହଞ୍ଚାଇଥିଲେ।
ଜୋସ୍ ବଟ୍ଟଲର୍ ୮ ବଲରେ ଦ୍ରୁତ ୨୦ (୧ ଚୌକା, ୨ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଷ୍ଟୋକ୍ସ ଜବରଦସ୍ତ ବ୍ୟାଟିଂ କରି ଇଂଲଣ୍ଡକୁ ବଡ଼ ସ୍କୋର ଦେଇଥିଲେ।ଶେଷ ୧୦ ଓଭରରେ ଇଂଲଣ୍ଡ ୯୨ ରନ୍ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ଶାମି ୬୯ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।


