ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ପୂର୍ବାଂଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସହଅଧ୍ୟକ୍ଷତା କରିବା ସହ ଆୟୋଜକ ଭାବେ ଯୋଗ ଦେଇଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରମେଶ ଓରାଓଁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ଭାବେ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବା ସହ ଗତ ସାମୁଦ୍ରିକ ଝଡ଼ ସମୟରେ ନିରନ୍ତର ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ।
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଜିଏସଟି ପ୍ରକ୍ରିୟାକରଣ ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ପାଣ୍ଠି ହସ୍ତାନ୍ତରଣ ପ୍ରସଙ୍ଗ ଉଠାଇଥିଲେ। ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ ପଟୁ ପରିଚାଳନା ନୀତି ଗଠନ ଲାଗି ଅନୁରୋଧ କରିଥିଲେ।
୨୪ତମ ବୈଠକରେ ଉଦବୋଧନ ଦେଇ ଶ୍ରୀ ଶାହ ପରିଷଦର ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହିତ ସମସ୍ତ କେନ୍ଦ୍ର-ରାଜ୍ୟ ଓ ଆନ୍ତଃରାଜ୍ୟ ପ୍ରସଙ୍ଗର ସହମତି ଭିତିରେ ସମାଧାନ ଦିଗରେ ଏହି ବୈଠକ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଆଧାରରେ ବ୍ୟାପକ ବିଚାର ଆଲୋଚନା ପରେ ସହମତି ଭିତିରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟକାରୀ ହେବା ଉଚିତ। ଏହାଦ୍ୱାରା ଦେଶର ସଂଘୀୟ ଢାଂଚା ଆହୁରି ସୁଦୃଢ଼ ହୋଇପାରିବ। ଆଂଚଳିକ ପରିଷଦ ବ୍ୟବସ୍ଥା ଫଳପ୍ରଦ ହୋଇଥିବାରୁ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ନିକଟରେ ଅନୁଷ୍ଠିତ ଆଂଚଳିକ ପରିଷଦ ବୈଠକଗୁଡ଼ିକରେ ୭୦% ପ୍ରସଙ୍ଗର ସମାଧାନ କରାଯାଇଛି ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ସମାଧାନ ପ୍ରକ୍ରିୟାରେ ଅଛି ବୋଲି ସେ ସୂଚନା ଦେଇଥିଲେ ।
ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଉପର ମହାନନ୍ଦ ନଦୀ ଉପରେ ଫୁଲବାଡ଼ି ନଦୀବନ୍ଧ ନିର୍ମାଣ ଲାଗି ୧୯୭୮ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଓଡ଼ିଶାର ଉତରାଂଚଳ ଜିଲ୍ଲାରେ ନୂଆପଡ଼ା-ଗୁଣପୁରଥେରୁବାଲି ରେଳପଥକୁ ସମ୍ପ୍ରସାରିତ କରିବା, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ପେନସନ ଦେୟତାର ନିର୍ଦ୍ଧାରଣ, ଭାରତ ସରକାରଙ୍କ କୋଇଲା କମ୍ପାନୀଗୁଡ଼ିକ ଦ୍ୱାରା ରାଜ୍ୟ ସରକାରଙ୍କ ଜମି ଉପଯୋଗ କରିବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଦ୍ୱାରା ଜମି ହସ୍ତାନ୍ତର, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଶୋଷଣ ଓ ବଳାକ୍ରାର ଭଳି ମାମଲାର ଦ୍ରୁତ ତଦନ୍ତ ଆଦି ପ୍ରସଙ୍ଗରେ ପରିଷଦ ଆଲୋଚନା କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ପୂର୍ବାଂଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏଜେଣ୍ଡାରେ ଥିବା ସମସ୍ତ ପ୍ରସଙ୍ଗ ସମାଧାନ ଦିଗରେ ଆଜିର ବୈଠକ ନିର୍ଣ୍ଣାୟକ ଏବଂ ଫଳପ୍ରଦ ହୋଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଏଜେଣ୍ଡାରେ ସ୍ଥାନିତ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ଆଇନଶୃଙ୍ଖଳା ଓ ପ୍ରଶାସନିକ ସଂସ୍କାର ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଯାହା ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତପôରତା ପ୍ରକାଶ କରିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ ଜୋର ଦେଇଥିଲେ। ସେ ମଧ୍ୟ ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବା ଉପରେ ଜୋର ଦେଇଥିଲେ ଯାହାଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ଲାଭାନ୍ୱିତ ହୋଇପାରିବେ।
ଶେଷରେ ଗୃହମନ୍ତ୍ରୀ କହିଥିଲେ ଯେ କେବଳ ଆଂଚଳିକ ପରିଷଦ ବୈଠକରେ ନୁହେଁ ନିୟମିତ ଆଲୋଚନା
ମାଧ୍ୟମରେ ଦୀର୍ଘଦିନ ଧରି ପଡ଼ି ରହିଥିବା ପ୍ରସଙ୍ଗର ସମାଧାନ କରାଯିବା ଆବଶ୍ୟକ। ନିୟମିତ ବ୍ୟବଧାନରେ ତଥ୍ୟ ଯୋଗାଇ ଦେବା ଲାଗି ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ବାସ୍ତବ ଭାବନା ସହିତ ଏହି ବୈଠକର ସମାପନ ହୋଇଥିଲା ।


