ବଲାଙ୍ଗିର (ଓଡ଼ିଶା ଓ୍ବେୟାର): ବର୍ଷା ଅଭାବରୁ ଏବେ ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଳକ୍ କାଦୋବେରା ଗାଁରୁ। ମୃତ ଚାଷୀଙ୍କ ନାଁ ରେଚକା ବନ୍ଛୋର। ତାଙ୍କୁ ୬୦ ବର୍ଷ ହୋଇଥିଲା।
ସେ ଗତକାଲି ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଚାଷୀଙ୍କ ପୁଅ କହିଛନ୍ତି ବର୍ଷା ଭଲ ହେଉ ନଥିବାରୁ ତାଙ୍କ ପରିବାରର କପା ଓ ଧାନ ଚାଷରେ ବହୁତ କ୍ଷତି ହୋଇଛି। ସେଥିପାଇଁ ତାଙ୍କ ବାପା ବହୁତ ଚିନ୍ତିତ ଥିଲେ। ଋଣ କେମିତି ପରିଶୋଧ କରିବେ ସେଥିପାଇଁ ସେ ଚିନ୍ତିତ ଥିଲେ। ଆଉ ସେଥିପାଇଁ ଗତକାଲି ସେ ବିଷ ପିଇ ଦେଇଥିଲେ।


