ପୁରୀ (ଓଡ଼ିଶା ୱେୟାର): ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବାକୁ ଯାଉଥିବା ବେଳେ ଏଥିରେ ସଂପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଏହି ନିଷ୍ପତ୍ତି ପ୍ରକାରେ ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର ଆରଟିପିସିଆର ଟେଷ୍ଟ କରାଯିବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଏବଂ ନୀଳାଦ୍ରିବିଜେର ୧୫ ଦିନ ପରେ ଏ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ମଧ୍ୟ ଦିଆଯିବ।
ଏହା ସହିତ ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମ୍ଓଙ୍କ ଅଫିସ ମଧ୍ୟରେ ସେ ଯୋଗସୂତ୍ର ରଖିବା ପାଇଁ ଜଣେ ନୋଡାଲ୍ ଅଧିକାରୀ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି।


