କୋରାପୁଟ : ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଏହି ମାର୍ଗ ଦେଇ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ ଏହି ଟ୍ରେନଟି ନାଲକୋରୁ ଆଲୁମିନିୟମ ପାଉଡର ବୋଝେଇ କରି ଫେରୁଥିବାବେଳେ ଦାମନଯୋଡ଼ି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା । କୋରାପୁଟ-ରାୟଗଡ଼ା ମାର୍ଗରେ ଏବେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ରାଉରକେଲା-କୋରାପୁଟ ଏକ୍ସପ୍ରେସକୁ ବାତିଲ କରାଯାଇଥିବାବେଳେ ହୀରଖଣ୍ଡ ଏକ୍ସପ୍ରେସ ଅନ୍ୟ ମାର୍ଗ ଦେଇ ଯାତାୟତ କରିବ । ହୀରାଖଣ୍ଡ ଏକ୍ସପ୍ରେସ ଅରାକୁ ଓ କୋଠଭାଲାସା ଦେଇ ଭୁବନେଶ୍ୱରରେ ପହଂଚିବ । ଟ୍ରେନ ଲାଇନଚ୍ୟୁତ ହେବାପରେ ଏହାକୁ ହଟାଇବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିବା ଜଣାପଡ଼ିଛି । ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଜଣାପଡ଼ିନି ।


