ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି।୩ବର୍ଷ ପରେ ରାଜ୍ୟ ସରକାର ଏହି ସଂଶୋଧିତ ସର୍ବନିମ୍ନ ମଜୁରୀ ଘୋଷଣା କରିଛନ୍ତି । ଶ୍ରମ ଓ ନିଯୁକ୍ତି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀକୁ ୪୦ରୁ ୬୫% ମଧ୍ୟରେ ବୃଦ୍ଧି ପାଇଛି ।
ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀକୁ ୨୦୦ଟଙ୍କାରୁ ୨୮୦ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୨୦ଟଙ୍କାରୁ ୩୨୦ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୪୦ ଟଙ୍କାରୁ ୩୭୦ଟଙ୍କାକୁ ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀକୁ ୨୬୦ରୁ ୪୩୦ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ସହିତ ୧୫ଟି ନିୟୋଜନରେ ଠିକା କାର୍ଯ୍ୟ କରୁଥିବା ଶ୍ରମିକଙ୍କର ମଜୁରୀ ମଧ୍ୟ ବୃଦ୍ଧି କରାଯାଇଛି ।
ଖାଉଟି ମୂଲ୍ୟସୂଚୀ ବଜାର ଦର, ପଡ଼ୋଶୀ ରାଜ୍ୟଗୁଡ଼ିକର ସର୍ବନିମ୍ନ ମଜୁରୀ ଓ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ପରିଷଦ ଏହି ସର୍ବନିମ୍ନ ମଜୁରୀର ସଂଶୋଧନ କରିଛନ୍ତି । ଏହି ମଜୁରୀ ବୃଦ୍ଧି ପରେ ପଡ଼ୋଶୀ ରାଜ୍ୟକୁ ପ୍ରବାସୀ ଶ୍ରମିକ ଭାବେ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କୁ ଏଥିରୁ ନିବୃତ କରିବାରେ ସହାୟକ ହେବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି ।


