ଭୁବନେଶ୍ୱର, : ରାଜ୍ୟବ୍ୟାପୀ ତତଲା ହାୱା ଓ ଅସହ୍ୟ ଗୁଳିଗୁଳି ପ୍ରବାହିତ ହେଉଛି । ଏହି ସ୍ଥିତି ଆଉ ୩ଦିନ ଲାଗି ରହିବ । ରାଜ୍ୟ କୃଷି ବିଭାଗ ପକ୍ଷରୁ ଜୁନ୍ ୨୫ତାରିଖ କୃଷି କାର୍ଯ୍ୟ ଆରମ୍ଭ ନକରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିବାବେଳେ ପାଣିପାଗ ବିଭାଗର ହିଟ୍ ୱେଭ୍ ସତର୍କତା ସୂଚନା ଆହୁରି ୨୪ଘଂଟା ବଳବତର ରହିବ । ପ୍ରାୟ ୭-୮ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ଓ ମୌସୁମୀ ବର୍ଷା ହେବାର ସେଭଳି ଲକ୍ଷଣ ଦେଖାଯାଉନି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
କ୍ରମାଗତ ୪ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତତଲା ହାୱାରେ ସାରା ଓଡ଼ିଶା ଏବେ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସୋମବାର ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଆଜି ପୁଣି ୪୨ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି ଯେ ଭୁବନେଶ୍ୱର ସହରର ତାପମାତ୍ରା ସାମାନ୍ୟ ସ୍ଥିତିଠୁ ୮ ଡିଗ୍ରୀ ଅଧିକ ରହିଛି । ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସ୍ଥାନରେ ଆଜି ହିଟ୍ୱେଭ୍ ଅନୁଭୂତ ହୋଇଛି । ଏହି ସ୍ଥିତି ମଧ୍ୟ ଆସନ୍ତାକାଲି ଜାରି ରହିବ । ଉତ୍ତର ପଶ୍ଚିମ ଭାରତରୁ ଘଂଟା ପ୍ରତି ୩୦ରୁ ୪୦କିମି ବେଗରେ ତତଲା ହାୱା ପ୍ରବାହ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ନଥିବାରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ହେବାର କୌଣସି ଲକ୍ଷଣ ଜଣାପଡ଼ୁନଥିବାରୁ ଗ୍ରୀଷ୍ମ ପ୍ରବାହର ସ୍ଥିତି ଜାରି ରହିବ ବୋଲି ସେ କହିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆଜି, ଭୁବନେଶ୍ୱର ସମେତ ବାରିପଦା ଓ ତାଳଚେରରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଅନୁଗୁଳ, ଚାନ୍ଦବାଲି, ଟିଟିଲାଗଡ଼ ଓ ବାଲେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ସେହିପରି କଟକ,ସମ୍ବଲପୁର, ପାରାଦୀପ, ଝାରସୁଗୁଡ଼ା, ହୀରାକୁଦ,ସୋନପୁର ଓ ଢେଙ୍କାନାଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୨୦୧୨ ଜୁନ୍ ମାସରେ ସର୍ବାଧିକ ୪୬.୭ ଡିଗ୍ରୀ ଓ ୨୦୧୫ ଜୁନ୍ ମାସରେ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।


