ଭୁବନେଶ୍ୱର: ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ଦ୍ୱାରା ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଅଭିଯୋଗ ଉପରେ ଅନୁଧ୍ୟାନ କରିବା ପାଇଁ ଆଜି ଅପରାହ୍ନରେ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଭିଜିତଙ୍କ ମନ୍ତବ୍ୟ ଯାଂଚ କରିବାକୁ ନିଷ୍ପତି ହୋଇଛି । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଅଭିଜିତ୍ ଆୟର ବାସ୍ତବରେ କ’ଣ କହିଛନ୍ତି ସେ ନେଇ ପକ୍ଷ ରଖିବାକୁ ଦୈନିକ ‘ପ୍ରମେୟ’ର ସମ୍ପାଦକ, ନ୍ୟୁଜ-୭ ସମ୍ପାଦକ, ପୁଲିସ ଡିଜିପି ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକଙ୍କୁ କୁହାଯାଇଛି । ସ୍ୱାଧିକାର ଭଙ୍ଗ ହୋଇଛି କି ନାହିଁ ତାହା ଯାଂଚ ହେବ । ଗୃହ କମିଟିର ପରବର୍ତୀ ବୈଠକ ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ।ସେମାନେ ନିଜର ପକ୍ଷ ରଖିବା ପରେ ଗୃହ କମିଟି ତା’ର ପରବର୍ତୀ ନିଷ୍ପତି ନେବ । ସୂଚନାଯୋଗ୍ୟ କମିଟିରେ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ସଦସ୍ୟ ଅଛନ୍ତି ।


