ଭୁବନେଶ୍ୱର : ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ଓଡ଼ିଶାର ବିଧାୟକମାନଙ୍କ ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟର ଅନୁଧ୍ୟାନ ପାଇଁ ଆସନ୍ତାକାଲି ବିଧାନସଭା ଗୃହ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଭିଜିତ୍ ଆୟର ରାଜ୍ୟର ବିଧାୟକମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ସ୍ୱାଧିକାର ଭଙ୍ଗ କରୁଛି କି ନାହିଁ ତାହା ତଦନ୍ତ କରିବା ନିମନ୍ତେ ଗୃହ କମିଟିର ପ୍ରଥମ ବୈଠକ ଆସନ୍ତାକାଲି ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ।ସୂଚନାଯୋଗ୍ୟ ଅଭିଜିତ୍ ଆୟାର ଓଡ଼ିଶା, କୋଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଓଡ଼ିଶାର ବିଧାୟକମାନଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବାକୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ହୋଇଛି।ଏନେଇ ବିଧାନସଭାରେ ଦୁଇଦିନ ଧରି ତୀବ୍ର ହଟ୍ଟଗୋଳ ହୋଇଥିଲା। ଅଭିଜିତଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିବ କି ନାହିଁ ତା’ର ଯାଂଚ କରିବାକୁ ବାଚସ୍ପତି ପ୍ରଦୀପ ଅମାତ୍ ୨୦ତାରିଖରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରିଥିଲେ।ଏହି କମିଟିରେ ବିଧାୟକ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ,ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ କୁମାର ଦାସବର୍ମା ସଦସ୍ୟ ଅଛନ୍ତି । କମିଟିର ପ୍ରଥମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।


