ଭୁବନେଶ୍ୱର : ଝାରସୁଗୁଡ଼ା ବିମାନ ବନ୍ଦର, ଓଡ଼ିଶାର ଦୀର୍ଘ ଦିନର ଦାବି ଥିଲା।ପଶ୍ଚିମ ଓଡ଼ିଶାକୁ ସାରା ବିଶ୍ୱ ସହ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ କରିଆସୁଥିଲେ ତାହା ଆଜି ସାକାର ରୂପ ନେଇଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି।
ଏକ ପ୍ରେସ ରିଲିଜରେ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍ଠା ବଳରେ ଝାରସୁଗୁଡ଼ା ବିମାନ ବନ୍ଦର ଆଜି ଲୋକାର୍ପିତ ହେଉଛି।ଏହି ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ୧୧୮.୭୫ ଏକର ଜମି ମାଗଣାରେ ଯୋଗାଇ ଦେଇଛନ୍ତି।ମୋଟ ୨୧୦ କୋଟି ଟଙ୍କାର ବିମାନ ବନ୍ଦର ନିର୍ମାଣ ଖର୍ଚ୍ଚରେ ରାଜ୍ୟ ସରକାରଙ୍କ ବଜେଟ୍ରୁ ୭୫ କୋଟି ଟଙ୍କା ବ୍ୟୟ କରାଯାଇଛି।ସେହିଭଳି ଜଳ ଓ ବିଜୁଳି ମାଗଣାରେ ଯୋଗାଇ ଦେଇଛନ୍ତି ଏବଂ ବିମାନ ବନ୍ଦର ସୁରକ୍ଷା ବ୍ୟବସ୍ଥା, ଆଣ୍ଟି ହାଇଜାକିଂ ସୁରକ୍ଷା ଦଳ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ରାଜ୍ୟ ମାଗଣାରେ ଯୋଗାଇ ଦେଇଛନ୍ତି।ବିମାନ ବନ୍ଦରର ସଂପତ୍ତି କର, ପୌର ଶୁଳ୍କ ତଥା ଅନ୍ୟାନ୍ୟ କର ସବୁ ରାଜ୍ୟ ସରକାର ଛାଡ଼ କରିଛନ୍ତି।
ସର୍ବୋପରି ଝାରସୁଗୁଡ଼ା ବିମାନ ବନ୍ଦର ‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି।ଏହି ବିମାନ ବନ୍ଦର ଓଡ଼ିଶାର ସମୃଦ୍ଧି ଓ ସ୍ୱାଭିମାନର ଏକ ପ୍ରତୀକ ହୋଇପାରିବ ଏବଂ ବିଜୁ ଜନତା ଦଳ ସରକାରଙ୍କ ଏହା ଏକ ଅନବଦ୍ୟ ଅବଦାନ ବୋଲି ଶ୍ରୀ ନାୟକ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


