ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତଲି’ କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିର ଆକଳନ କରିବା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମନ୍ତ୍ରିସ୍ତରୀୟ କମିଟି ଗଠନ କରିବା ସହ ତୁରନ୍ତ ସର୍ବାଧିକ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଳା ଗସ୍ତରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କମିଟିରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ରହିଛି।ଏହି କମିଟି ସମ୍ପୃକ୍ତ ଜିଲ୍ଲାର ପ୍ରଭାବିତ ଅଂଚଳ ଗସ୍ତ କ୍ଷୟକ୍ଷତି ଆକଳନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।କମିଟି ଆଜି ସନ୍ଧ୍ୟାରେ ଏହି ପ୍ରଭାବିତ ଜିଲ୍ଲା ଗସ୍ତ କରିିଛି।
ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ ତିିତଲି ପରବର୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ଏହି ସମସ୍ତ ୩ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଆସ୍କା ଓ ପୁରୁଷୋତମପୁର ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।ଏବେ ସୁଦ୍ଧା ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ୧୪ଟି ଏନଡିଆରଏଫ ଟିମ୍ ଓ ୧୨ଟି ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି।୨-୩ଦିନ ମଧ୍ୟରେ ବିଜୁଳି ସରବରାହ ପୁନଃସ୍ଥାପିତ ସହ ରାସ୍ତାରେ ପଡ଼ି ରହିଥିବା ଗଛଗୁଡ଼ିକ ହଟାଇବା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ନଦୀରେ ହୋଇଥିବା ଘାଇର ତୁରନ୍ତ ମରାମତି, କ୍ଷତିଗ୍ରସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇ ରନ୍ଧାଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ଯୋଗାଇବା, ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ଓ ପଶୁଚିକିତ୍ସା ଶିବିର କରି ମାଗଣାରେ ଚିକିତ୍ସା ଓ ଔଷଧ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସଡ଼କ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତିରେ ପୁନଃସ୍ଥାପିତ କରିବା ଏବଂ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ସେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


