ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ମୁଖପାତ୍ର ଟିମର ପୁନର୍ଗଠନ କରିଛି।ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ୧୪ଜଣିଆ ମୁଖପାତ୍ର ତାଲିକା ଜାରି ହୋଇଛି।ଏନେଇ ଦଳର ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ପୂର୍ବରୁ ରହିଥିବା ୧୧ଜଣିଆ ମୁଖପାତ୍ର ତାଲିକାରୁ କେବଳ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ ବାଦ୍ ଦିଆଯାଇଥିବାବେଳେ ପ୍ୟାନେଲିଷ୍ଟ ତାଲିକାରେ ଥିବା ଡାକ୍ତର ଦେବାଶୀଷ ମାର୍ଣ୍ଡିଙ୍କୁ ମୁଖପାତ୍ର ଭାବେ ଅବସ୍ଥାପିତ କରାଯାଇଛି।ଗତ ଦୁଇମାସ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ଏଜି ଅମର ପଟ୍ଟନାୟକଙ୍କ ସମେତ ଦଳର ସାଧାରଣ ସମ୍ପାଦକ, ଅତନୁ ସବ୍ୟସାଚୀ ନାୟକ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି।ସେହିପରି ମୁଖପାତ୍ର ତାଲିକାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ ଓ ପ୍ରଶାନ୍ତ ନନ୍ଦଙ୍କ ସମେତ ଦେବୀପ୍ରସାଦ ମିଶ୍ର, ଦେବାଶୀଷ ସାମନ୍ତରାୟ, ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ରଞ୍ଜନ ଦାଶ, ସସ୍ମିତ ପାତ୍ର ଓ ସୁଲୋଚନା ଦାସ ନିଜର ସ୍ଥାନ ବଜାୟ ରଖିଛନ୍ତି।


