ଭୁବନେଶ୍ୱର : ରାଜ୍ୟର ଜନଜାତି ମାନଙ୍କର ବିକାଶ ପ୍ରସଙ୍ଗର ପ୍ରମୁଖ ଫୋରମ ଜନଜାତି ପରାମର୍ଶଦାତା ପରିଷଦ (ଟିଏସି) ନେଇ ଭାରତୀୟ ଜନତା ପାର୍ଟି କୁଚିଣ୍ଡା ବିଧାୟକ ରବି ନାଏକ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ମାମଲାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି । ଶ୍ରୀ ନାଏକ ଗତ ଜୁନ ୨୮ ତାରିଖରେ ଅନୁଷ୍ଠିତ ଟିଏସି ବୈଠକରେ ଯୋଗ ଦେବା ପାଇଁ ତାଙ୍କୁ ସୂଚନା ଦିଆ ଯାଇ ନଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଶ୍ରୀ ନାଏକ କହିଛନ୍ତି ଯେ ସେ ଟିଏସିର ସଦସ୍ୟ ଥିଲେ ମଧ୍ୟ ତାଙ୍କୁ କାହିଁକି ଏହି ବୈଠକରେ ଯୋଗ ଦେବାକୁ ସୂଚନା ଦିଆଗଲା ନାହିଁ ବୋଲି ଜାଣିବାକୁ ଚେଷ୍ଟା କରିବା ସମୟରେ ଟିଏସି ସଦସ୍ୟ ଭାବେ ତାଙ୍କୁ ବାଦ ଦିଆ ଯାଇଛି ବୋଲି ସେ ଜାଣିବାକୁ
ପାଇଲେ । ଶ୍ରୀ ନାଏକ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ଜନସଂଖ୍ୟା ହେଉଛି ଅନୁସୂଚିତ ଜନଜାତି ବର୍ଗର । ଏହି ବର୍ଗର ସଦସ୍ୟ ଭାବରେ ସେ ସଦା ସର୍ବଦା ସେମାନଙ୍କର ବିକାଶର ସମସ୍ୟା, ଅଭାବ, ଅସୁବିଧା ଏହି ବର୍ଗର ବିକାଶ ପାଇଁ ବର୍ତମାନର ରାଜ୍ୟ ସରକାର ଗମ୍ଭୀର ନ ଥିବା ନେଇ ସେ ମୁଖର ଭାବରେ ପ୍ରସଙ୍ଗ ଉଠାଇ ଆସିଛନ୍ତି । ଶ୍ରୀ ନାଏକ ତାଙ୍କ ପତ୍ରରେ କହିଛନ୍ତି ଯେ, ସେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଯେହେତୁ ସେ ଜନଜାତି ମାନଙ୍କର ସମସ୍ୟାକୁ ଜୋର କରି ଉଠାଉଛନ୍ତି ଓ ସରକାରଙ୍କ ଦୋଷ ଦୂର୍ବଳତାକୁ ପଦାରେ ପକାଉଛନ୍ତି ତେଣୁ ରାଜ୍ୟ ସରକାର ଜାଣି ଶୁଣି ଟିଏସି ସଦସ୍ୟତାରୁ ତାଙ୍କୁ ବାଦ ଦେଇଛନ୍ତି । ରାଜ୍ୟପାଳଙ୍କୁ ସମ୍ବିଧାନର ସଂରକ୍ଷକ ବୋଲି ସମ୍ବୋଧିତ କରିବା ସହ ଜନଜାତି ଅଧ୍ୟୁଷିତ ସିଡ୍ୟୁଲ୍ଡ ଏରିଆ ରାଜ୍ୟପାଳଙ୍କ ବିଶେଷ ସାମ୍ବିଧାନିକ ଅଧିକାର ଥିବା ପ୍ରସଙ୍ଗକୁ ଏହି ଚିଠିରେ ଶ୍ରୀ ନାଏକ ଉଲ୍ଲେଖ କରିଛନ୍ତି । ରାଜ୍ୟପାଳଙ୍କୁ ଅନୁରୋଧ କରି ସେ କହିଛନ୍ତି ଯେ ରାଜ୍ୟପାଳ ତାଙ୍କର ବିଶେଷାଧିକାରର ପ୍ରୟୋଗ କରି ସମ୍ପୂର୍ଣ ଘଟଣାରେ ହସ୍ତକ୍ଷେପ କରନ୍ତୁ । ତୁରନ୍ତ ଟିଏସି ସଦସ୍ୟ ପଦରେ ତାଙ୍କୁ ପୁଣି ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି । ଏହା ସହ ଜନଜାତି ମାନଙ୍କର ସମସ୍ୟା, ବିକାଶ ତଥା ନୀତିଗତ ନିର୍ଣୟ ମାମଲାରେ ଗୁରୁତ୍ୱପୂର୍ଣ ଭୂମିକା ରଖିବାର ସମ୍ଭାବନା ଥିବା ଟିଏସି ବୈଠକକୁ ନିୟମିତ ବ୍ୟବଧାନରେ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ପାଇଁ ଏହି ପତ୍ରରେ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।


