ଓଡ଼ିଶା ଉପକୂଳ ନଦୀ ମୁହାଣ ଗୁଡିକରେ ବି ମାଛଧରାରେ ଲଗାଯାଇଛି ଅଙ୍କୁଶ। ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ।
ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ୱର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ପାରାଦୀପରେ କେବଳ ୭ ଶହପାଖାପାଖି ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଯେଉଁଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘ ବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ।


