ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ଅର୍ଥନୀତିର ସମୀକ୍ଷା କରିବା ପରେ ଆୟୋଗ ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ଓ ଅନ୍ୟ ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଅପରପକ୍ଷରେ ଓଡ଼ିଶା ପାଞ୍ଚ ବାର୍ଷିକୀ ଯୋଜନାରେ ମୋଟ ୮,୨୪,୬୪୪ କୋଟି ଟଙ୍କା ଦାବି କରିବା ସହ ଉତ୍ତର-ପୂର୍ବ ରାଜ୍ୟ ଭଳି ୯୦:୧୦ ଅନୁପାତରେ କେନ୍ଦ୍ରୀୟ ଅନୁଦାନ ଓ ପ୍ରାକୃତିକ ବିପର୍ୟ୍ୟୟ ପାଣ୍ଠିରେ ଶତ ପ୍ରତିଶତ ଅନୁଦାନ ଦାବି କରିଛି।
ଆୟୋଗ ଅଧ୍ୟକ୍ଷ ଶ୍ରୀ ସିଂହ କହିଥିଲେ ରାଜ୍ୟରେ ଦାରିଦ୍ର୍ୟ ହାର ହ୍ରାସ ଲାଗି ରାଜ୍ୟ ସରକାରକୁ ଅନେକ କିଛି କରିବାର ଆବଶ୍ୟକତା ରହିଛି। ଏହା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଯଥେଷ୍ଟ ଯୋଜନା ଅଗ୍ରଗତି ଆଣିଥିଲେ ମଧ୍ୟ ଆହୁରି ଅଧିକ ଶିକ୍ଷା ବ୍ୟବସ୍ଥା ବୃଦ୍ଧି ହେବା ଦରକାର। ଜାତୀୟ ହାର ତୁଳନାରେ ୨ ବର୍ଷ ହେଲା ଓଡ଼ିଶାର ବିକାଶ ହାର ଭଲ ନାହିଁ ବୋଲି ଆୟୋଗ କହିଛନ୍ତି। ଆୟୋଗ ଅଧ୍ୟକ୍ଷ କହିଛନ୍ତି, ନବୀନଙ୍କ ନେତୃତ୍ବରେ ଚାଲିଥିବା ସ୍ଥିର ସରକାର ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଛି। ମୁଣ୍ଡପିଛା ଆୟ ବୃଦ୍ଧିରେ ମଧ୍ୟ ଯଥେଷ୍ଟ ଅଗ୍ରଗତି କରିଛି ଓଡ଼ିଶା। ସ୍ବାସ୍ଥ୍ୟ ସୂଚକାଙ୍କ କ୍ଷେତ୍ରରେ ବି ଯଥେଷ୍ଟ ଅଗ୍ରଗତି ହାଇଛି। ରାଜ୍ୟ ସରକାରଙ୍କ େଯଉଁ କାର୍ୟ୍ୟକ୍ରମକୁ ନେଇ ବିେରାଧୀ ଶାଣିତ ଆକ୍ରମଣ କରୁଛନ୍ତି, କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସେହି ‘କାଳିଆ’ ଏକ ଉତ୍ତମ ଯୋଜନା ବୋଲି ଆୟୋଗର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ମତ ଦେଇଛନ୍ତି। ଓଡ଼ିଶାକୁ ମୁଣ୍ଡପିଛା ଆୟ ବୃଦ୍ଧି, ସ୍ବାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ପାଇଁ ଅନେକ କିଛି କରିବାକୁ ହେବ ବୋଲି ଆୟୋଗର ଅଧ୍ୟକ୍ଷ ଶ୍ରୀ ସିଂହ ମତ ଦେଇଛନ୍ତି। କାରଣ ୧୦ ହଜାର ଲୋକରେ ଜଣେ ଡାକ୍ତର ଓଡ଼ିଶାରେ ଏବେ ରହିଛନ୍ତି। ମେଡିକାଲ କଲେଜ ସଂଖ୍ୟା ବଢ଼ାଇବା ସହିତ ଅଧିକରୁ ଅଧିକ ସଂଖ୍ୟକ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଦେବା ଲାଗି ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ରାଜ୍ୟ ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କରାଯାଉଥିବା ଦାବି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଥିଲେ, ଏଭଳି ଦାବି ଅନ୍ୟ ରାଜ୍ୟମାନେ ମଧ୍ୟ କରୁଛନ୍ତି। ଆନ୍ଧ୍ର ପ୍ରଦେଶ ପକ୍ଷରୁ ଏ ପ୍ରକାର ଦାବି ନିକଟରେ କରାଯାଇଛି। କିନ୍ତୁ ଏହା ଅର୍ଥ ଆୟୋଗଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିପର୍ୟ୍ୟୟ ପରିଚାଳନା ପାଇଁ ୧୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ ନେଇ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ଉପରେ ଆୟୋଗ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି।


