ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହାସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପରେ ଏହାକୁ ତକ୍ରାଳ ପ୍ରଭାବରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହିବ। ତା’ଛଡ଼ା ସରକାରୀ କର୍ମଚାରୀମାନେ ଏଣିକି ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ବାଧ୍ୟ ହେବେ। ମଧ୍ୟାହ୍ନ ଭୋଜନ ନିମନ୍ତେ ସାଢ଼େ ୧ଟାରୁ ୨ଟା ପର୍ଯ୍ୟନ୍ତ ମାତ୍ର ୩୦ମିନିଟର ‘ଲଞ୍ଚ ବ୍ରେକ୍’ ମିଳିବ। ପ୍ରତିମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ୧୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଶାସନିକ କାର୍ଯ୍ୟରେ ଫାଇଭ୍ ଟି ( ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ)କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର ଅବା ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ । ରାଜ୍ୟର ବିକାଶ କ୍ଷେତ୍ରରେ ସେମାନେ ନିଜ ନିଜର ଅଭିନବ ଚିନ୍ତାଧାରା ମଧ୍ୟ ଉପସ୍ଥାପନ କରିପାରିବେ ।
ସୂଚନାଯୋଗ୍ୟ, ଏବେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ଥିବାବେଳେ ସମସ୍ତ ସରକାରୀ ଅଫିସ ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ରହିଥିଲା । ମଧ୍ୟାହ୍ନ ଭୋଜନ ପାଇଁ ଏକଘଣ୍ଟାର ସମୟ ମିଳୁଥିଲା ।


