କଟକ ନୂଆ ବଜାର ଅଞ୍ଚଳର ମହିମା ନଗରରେ ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁରର ବୋଲି କୁହାଯାଉଛି। ସେ କଟକରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଯୁବକ ଜଣଙ୍କ ଡ୍ରେନରେ ପଡ଼ି ଭାସୁଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସମ୍ଭବତଃ ସେ ରାତ୍ରିରେ ବାଟ ନ ଦେଖିପାରି ମୁକୁଳା ଡ୍ରେନ୍ରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସ୍ଥାନୀୟ ଲୋକଙ୍କ ଅନୁସାରେ ଠିକାଦାର ମାସେରୁ ଅଧିକ ସମୟ ଧରି ଡ୍ରେନ୍ର ସ୍ଲାବ୍ ଉଠାଇ ନେଇ ଯାଇଥିଲେ। ଡ୍ରେନରେ ସ୍ଲାବ ପକାଇବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଡ଼ିନାହିଁ। ଫଳରେ ଏପରି ଦୁର୍ଘଟଣା ଘଟିଥିବ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ଘୋଡ଼ାଇବା ପାଇଁ ଲୋକେ ଦାବି କରିବାରୁ ଠିକାଦାର କହିଥିଲେ ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି କାର୍ଯ୍ୟ କରିବା ସମ୍ଭବ ହୋଇ ପାରୁନାହିଁ।


