ଭୁବନେଶ୍ୱର : ନୂଆପଡ଼ା ଠାରୁ ଆରମ୍ଭ କରି ବିଜେପୁର, ଏବେ ଯାଜପୁର ପର୍ଯ୍ୟନ୍ତ ଯେତେ ଯେଉଁଠି ଉପ-ନିର୍ବାଚନ ହୋଇଛି, ସେଥିରେ ବିଜୁ ଜନତା ଦଳ ପ୍ରାର୍ଥୀମାନଙ୍କୁ ଲୋକେ ଅକୁଣ୍ଠଚିତ୍ତରେ ଭୋଟ୍ ଦେଇ ବିଜୟୀ କରାଇଛନ୍ତି । କିନ୍ତୁ ବିଜେପି ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ସହ ରାଜ୍ୟର ଶାସନକୁ ନେଇ ଯେଉଁ ପ୍ରଶ୍ନ ଉଠାଉଛି, ସେ ସବୁର ଉତ୍ତର ଉପ-ନିର୍ବାଚନ ଫଳାଫଳ ହିଁ ଦେଇଆସିଛି । ଏହା ସତ୍ୟ ହେଲେ ମଧ୍ୟ ବିଜେପି ଏହା ମାନିବାକୁ ପ୍ରସ୍ତୁତ ନୁହେଁ । ସଦ୍ୟ ପ୍ରକାଶ ପାଇଥିବା ଯାଜପୁର ଜିଲ୍ଲା ୩୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଏବଂ ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ସାଗର ପଞ୍ଚାୟତର ସମିତି ସଭ୍ୟ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଏହାର ଅନ୍ୟତମ ଉଦାହରଣ । ଏଥିରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଅକ୍ଷୁଣ୍ଣ ରହିଛି ଏବଂ ରାଜ୍ୟର ଶାସନ ଜନାଦୃତ ହୋଇପାରିଛି । ବିଜୁ ଜନତା ଦଳ ଆହୁରି ମଜଭୁତ ହେବାରେ ଲାଗିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘କଠିନ ପରିଶ୍ରମ କର, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସାଙ୍ଗରେ ରୁହ’ ପରାମର୍ଶ ହିଁ ବିଜୁ ଜନତା ଦଳକୁ ଆଗକୁ ନେବାରେ ସହାୟକ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ । ଯାଜପୁର ଜିଲ୍ଲା ୩୦ ନମ୍ବର ଜୋନ୍ ଅନ୍ତର୍ଗତ ୬ଟି ପଞ୍ଚାୟତରେ ସର୍ବାଧିକ ୧୨୭୯୯ ଖଣ୍ଡ ଭୋଟ୍ ପାଇ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ବିଜୟୀ ହୋଇଛନ୍ତି । ଚଳିତ ଉପ-ନିର୍ବାଚନରେ ବିଜୁ ଜନତା ଦଳର ଭୋଟ୍ ହାର ୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଜେପି ଓ କଂଗ୍ରେସର ଭୋଟ୍ ହାର ୪ ପ୍ରତିଶତ ହ୍ରାସ ପାଇଛି । ସେହିପରି ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ସାଗର ପଞ୍ଚାୟତ ସମିତି ସଭ୍ୟ ଉପ-ନିର୍ବାଚନରେ ବିଜୁ ଜନତା ଦଳ ସମର୍ôଥତ ପ୍ରାର୍ଥୀ ପୁନିଆ ସାହୁ ୧୧୯୩ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ସମର୍ôଥତ ପ୍ରାର୍ଥୀ ସର୍ବନିମ୍ନ ୨୬୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଯାଜପୁର ଜିଲ୍ଲା ୩୦ନମ୍ବର ଜୋନ୍ ଏବଂ ସାଗର ପଞ୍ଚାୟତର ସମସ୍ତ ଜନସାଧାରଣ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳ ତରଫରୁ ଧନ୍ୟବାନ ସହ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ବିଜୁ ଜନତା ଦଳ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ।


