ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଢ଼େଇ ଘଂଟିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୪ବର୍ଷର ରିପୋର୍ଟ କାର୍ଡକୁ ସେ କଟକରେ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୩ଟା ୨୫ମିନିଟ୍ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ବାୟୁସେନାର ବିମାନରେ ନରାଜ ଯାଇ କଟକର ବାଲିଯାତ୍ରା ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟତଃ ନିଜ ସରକାରର ୪ବର୍ଷ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ଦଳର ଜାତୀୟ ସଭାପତି ଅମିତ୍ ଶାହ ଏ ସମ୍ପର୍କରେ ଏକ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି । ମୋଦି ସରକାରର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ଦଳ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି । ଦଳ ପକ୍ଷରୁ ଦେଶର ୪୦ଟି ସହରରେ ମେ’ ୨୯ତାରିଖରୁ ଜୁନ୍ ୩ ତାରିଖ ମଧ୍ୟରେ ଦିଲ୍ଲୀରେ ମେଗା ଇଭେଂଟ, ସମସ୍ତ ରାଜ୍ୟର ମୁଖ୍ୟାଳୟ ଓ ପ୍ରମୁଖ ସହରରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରର ରିପୋର୍ଟ କାର୍ଡକୁ ଉପସ୍ଥାପିତ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଆଜି ଏହି କ୍ରମରେ ଓଡ଼ିଶାର କଟକରେ ନିଜ ସରକାରର ୪ବର୍ଷର ସଫଳତା ବଖାଣିବେ । ସେ ଅପରାହ୍ନ ୫ଟା ୫୫ମିନିଟ୍ରେ ଓଡ଼ିଶା ଛାଡ଼ିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଜେପିର ଏହି ଜନସଭାରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଏକଜୁଟ କରାଯାଇଥିବା ଦଳ ପକ୍ଷରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବିଜେପି ଉତ୍ସାହିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆଗାମୀ ଦିନରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଦଳ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ୨୦୧୯ରେ ଓଡ଼ିଶାରେ ସାଧାରଣ ନିର୍ବାଚନ ଥିବାରୁ ମୋଦିଙ୍କ ଗସ୍ତ ମାଧ୍ୟମରେ ବିଜେପି ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି ।


