ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି।ଦିନିକିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ ସହ ତାଳଚେର ସାର କାରଖାନା ପୁନରୁଦ୍ଧାରର ଶିଳାନ୍ୟାସ, ୨ କୋଇଲା ଖଣି ଓ ରେଳ ଲାଇନର ଶୁଭାରମ୍ଭ କରିବେ।ଏହା ସହିତ ତାଳଚେର ଓ ଅନୁଗୁଳରେ ଦୁଇଟି ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ରାଜନୀତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଉଛି।

ସୂଚନା ଅନୁସାରେ ଝାରସୁଗୁଡ଼ା ଓ ତାଳଚେର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ।ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ବାୟୁସେନାର ବିମାନରେ ପ୍ରଥମେ ତାଳଚେର ଯିବେ।ସକାଳ ୯ଟା ୪୫ମିନିଟରେ ସେ ତାଳଚେରରେ ପହଂଚି ସେଠାରେ ସାର କାରଖାନର ଶିଳାନ୍ୟାସ କରିବେ। ତା’ପରେ ସେଠାରେ ଅନ୍ୟ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରିବା ପରେ ସାଧାରଣ ସଭାରେ ଉଦବୋଧନ ଦେଇ ୧୨ଟା ୩୫ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ।ଏହି ଦୁଇଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


