ଭୁବନେଶ୍ୱର :ବରିଷ୍ଠ ବିଜେପି ନେତା ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଭାବେ ମଙ୍ଗଳବାର ପଦ ଓ ଗୋପନୀୟତାର ଶପଥ ନେବେ । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଶୁକ୍ରବାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ପ୍ରଫେସର ଲାଲ ସୋମବାର ଓଡ଼ିଶା ଆସିବେ । ମଙ୍ଗଳବାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନିତ୍ ଶରଣ ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଗଣମାଧ୍ୟମକୁ ସୂଚନା ଦେଇ ପ୍ରଫେସର ଲାଲ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ସୁରକ୍ଷା କରିବା ହେଉଛନ୍ତି ତାଙ୍କର ପ୍ରଥମ ପ୍ରାଥମିକତା । ତେବେ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ ଉପରେ ସେ ଗୁରୁତ୍ୱ ଦେବେ । ସେ ଓଡ଼ିଆ ଭାଷା ଶିଖିବା ପାଇଁ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଡଃ ଏସ୍.ସି.ଜମିରଙ୍କ କାର୍ଯ୍ୟକାଳ ଶେଷ ପରେ ମାର୍ଚ୍ଚ ୨୧ତାରିଖରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ଥିବା ବିହାର ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ ଆଜି ଗାର୍ଡ ଅଫ୍ ଅନର ସହ ବିଦାୟ ଦିଆଯାଇଛି । ଡଃ ଜମିରଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦ ଶେଷ ହେବା ପରେ ରାଜ୍ୟରେ ସ୍ଥାୟୀ ରାଜ୍ୟପାଳ ପଦବୀ ଖାଲି ପଡ଼ିଥିଲା । ପ୍ରଫେସର ଲାଲ ଓଡ଼ିଶାର ୪୬ତମ ରାଜ୍ୟପାଳ ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ । ୧୯୪୨ ମାର୍ଚ୍ଚ ୧ ତାରିଖରେ ଜନ୍ମିତ ପ୍ରଫେସର ଲାଲ ଏବେ ହରିଆଣା ବିଜେପି ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବରୁ ହରିଆଣା ବିଜେପିର ସଭାପତି ଭାବେ କାର୍ଯ୍ୟ କରିସାରିଛନ୍ତି ।


