ଭୁବନେଶ୍ୱର : ପ୍ରଥମଥର ପାଇଁ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ରାଜ୍ୟସଭାରେ ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ପଦ୍ମବିଭୂଷଣ ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଚୟନ କରିଛନ୍ତି । ବିଶିଷ୍ଟ ଓଡ଼ିଶୀ ଓ ଭାରତନାଟମ୍ୟ ନୃତ୍ୟଙ୍ଗନା ସୋନାଲ ହେଉଛନ୍ତି ଗୁଜରାଟର ଝିଅ ଓ ଓଡ଼ିଶାର ବୋହୂ । ଓଡ଼ିଶାର ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ଉପରେ ନିଜର ଧ୍ୟାନକେନ୍ଦ୍ରିତ କରୁଥିବାର ସ୍ପଷ୍ଟ ଆଭାସ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉକ୍ତ ଦୁଇ ବ୍ୟକ୍ତିଙ୍କ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ନିଷ୍ପତିକୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୪ ମସିହାରେ ରଘୁନାଥଙ୍କୁ ବିଜେଡି ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ କରିଥିଲା । ଅବଶ୍ୟ ତାଙ୍କୁ ତୃତୀୟ ପସନ୍ଦର ପ୍ରାର୍ଥୀ କରିଥିବାରୁ ସଂଖ୍ୟା ଅଭାବରୁ ରଘୁନାଥଙ୍କୁ ପରାଜିତ ହେବାକୁ ପଡ଼ିଥିଲା । ସେବେଠୁ ରଘୁନାଥଙ୍କୁ ବିଜେଡି ଅଣଦେଖା କରି ଆସୁଥିବାବେଳେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇ ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ସୂଚନାଯୋଗ୍ୟ, ରଘୁନାଥ ଓ ସୋନାଲଙ୍କ ବ୍ୟତୀତ ଆରଏସଏସ୍ ପ୍ରଚାରକ ଭାବେ ପରିଚିତ ରାକେଶ ସିହ୍ନା ଓ କୃଷକ ନେତା ରାମ ସକାଲ୍ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।


