ଭବାନୀପାଟଣା(ଓଡ଼ିଶା ୱେୟାର):ଏମିତି ଭାରତ କି ଏମିତି ଓଡ଼ିଶା ଆମର ଦରକାର ନାହିଁ ବୋଲି କହି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ସମାବେଶରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ମୋଦି ଓ ନବୀନଙ୍କୁ ସମାଲୋଚନା କରିବା ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ରାହୁଲ କହିଛନ୍ତି । ସେ କହିଛନ୍ତି, “ଚୌକିଦାର (ମୋଦି) ଚୋର। ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ। ଚୌକିଦାର ଯାହା କହିବେ, ନବୀନ ସେଥିରେ ହଁ ଭରିବେ। ମୋଦି କହିଲେ ଚାଷୀ ଋଣ ଛାଡ ହେବନି, ନବୀନ ତାଙ୍କ କଥାରେ ହଁ ଭରିଲେ ଓ ରିମୋଟ୍ ଚିପିଦେଲେ। ଏ ରିମୋଟ୍ କଣ୍ଟୋଲକୁ ଫିଙ୍ଗନ୍ତୁ ଓ କଂଗ୍ରେସକୁ ଭୋଟ ଦିଅନ୍ତୁ।” ଆପଣଙ୍କ ଅଞ୍ଚଳକୁ କଂଗ୍ରେସ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି। ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଗୁରୁତ୍ୱ ଦେଇଛନ୍ତି। ଆପଣମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଜରୁରୀ ବୋଲି କଂଗ୍ରେସ ଅନୁଭବ କରିଛି। ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଅଣଦେଖା କରିଛନ୍ତି। ନରେନ୍ଦ୍ର ମୋଦି ବିଆରଜିଏଫ୍ ପାଣ୍ଠି ହ୍ରାସ କରିଛନ୍ତି। କୃଷକଙ୍କ ପାଇଁ ବଡ଼ ଘୋଷଣା କରି ଦୈନିକ ୧୭ ଟଙ୍କା ଦେଇଛନ୍ତି, କିନ୍ତୁ ତାଙ୍କ ୧୫ ମିତ୍ରଙ୍କ ପାଇଁ ସାଢେ ୩ ଲକ୍ଷ କୋଟିର ଋଣ ଛାଡ଼ କରିଛନ୍ତି।”
ଉଭୟ କେନ୍ଦ୍ର ଓ ରାଜ୍ୟ ଆପଣମାନଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦେଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ନବୀନ ପଟ୍ଟନାୟକ ଆପଣଙ୍କୁ ଚିଟଫଣ୍ଡ ଭ୍ରଷ୍ଟାଚାର ଦେଲେ। ନରେନ୍ଦ୍ର ମୋଦି ଆପଣଙ୍କୁ ରାଫେଲ ଦୁର୍ନୀତି ଦେଲେ।”
ଗରିବ କାର୍ଡ ଖୋଲି ରାହୁଲ କହିଛନ୍ତି, “ମନରେଗା ଠାରୁ ବଡ଼ ଯୋଜନା କଂଗ୍ରେସ ଆପଣଙ୍କ ପାଇଁ ରଖିଛି। ଦେଶର ପ୍ରତି ଗରିବ ଲୋକକୁ ସର୍ବନିମ୍ନ ଆୟ ଦେବ କଂଗ୍ରେସ। ସବୁ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ। ମିଛ କହିବାର ସମୟ ଶେଷ ହୋଇଯାଇଛି। ଏବେ କାମ କରିବାର ସମୟ।”
ଆଦିବାଦୀଙ୍କ ଜମିକୁ କେନ୍ଦ୍ର ଓ ରାଜ୍ୟ ହଡ଼ପ କରୁଥିବା ଅଭିଯୋଗ ଆଣିଛନ୍ତି ରାହୁଲ। ସେ କହିଛନ୍ତି, “ବିଜେପି ଓ ବିଜେଡି ଆଦିବାସୀଙ୍କ ଜମି ହଡ଼ପ କରିବାକୁ ଚାହୁଁଛି। କଂଗ୍ରେସ ଆଦିବାସୀଙ୍କ ଜମି ଓ ହକ୍ ନିଶ୍ଚୟ ରକ୍ଷା କରିବ। ଛତିଶଗଡ଼ରେ ଟାଟା ଫ୍ୟାକ୍ଟ୍ରିକୁ ବନ୍ଦ କରି ଦିଆଯାଇଛି। ନିୟମଗିରି ଆସିଥିଲି, ଆପଣଙ୍କ ସହ ଛିଡ଼ା ହୋଇଥିଲି। ଆପଣଙ୍କ ଅଧିକାର ପାଇଁ ଛିଡ଼ାହେଲି ଓ ତାକୁ ରକ୍ଷା କଲି।”
ସେ ଆହୁରି କହିଛନ୍ତି,“ଏଠାରେ ଆଦିବାସୀଙ୍କ ଜମି, ଜଳ ଓ ଜଙ୍ଗଲ ହଡ଼ପ ହେଉଛି। ଓଡ଼ିଶାରେ ଚାକିରି ମିଳୁନି। ଆପଣଙ୍କୁ ବାହାରକୁ ଯିବାକୁ ପଡ଼ୁଛି। ଏଭଳି ଭାରତ ଏବଂ ଏଭଳି ଓଡ଼ିଶା ଆମକୁ ଦରକାର ନାହିଁ ବୋଲି ରାହୁଲ କହିଛନ୍ତି।


