ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରିବେ । ୩ମାସ ମଧ୍ୟରେ ଏହି ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ଏହି ଚାବି ହଜିଲା ଓ ଏଥିପାଇଁ କେଉଁମାନେ ଦାୟୀ ତା’ର ତଦନ୍ତ ହେବ ବୋଲି ଜଣାପଡ଼ିଛି । ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଇନମନ୍ତ୍ରୀ ପ୍ରତାପ ଜେନା ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ବିଚାରବିଭାଗୀୟ କମିଶନ ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏପ୍ରିଲ ୪ତାରିଖରେ ରତ୍ନଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ରତ୍ନଭଣ୍ଡାର ଖୋଲାଯାଇନଥିବା କଥା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀରୁ ସ୍ପଷ୍ଟ ହୋଇଥିଲା । ଚାବି ନମିଳିବାରୁ ପରିଚାଳନା କମିଟିର ବିନା ଅନୁମତିରେ ଚାବି ଭାଙ୍ଗିବା ଠିକ୍ ନଥିଲା ବୋଲି ଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିର ପ୍ରଶାସକ କହିଥିଲେ । ତେବେ ଗତ ଦୁଇଦିନ ହେବ ଚାବି ହଜିବାକୁ ନେଇ ବିଭିନ୍ନ ସ୍ତରରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ଆଜି ଏହି ନିଷ୍ପତି ନେଇଛନ୍ତି । ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଚାବି ହଜିଲା ସେ ନେଇ ଏବେ କିଛି କହିବା ଉଚିତ୍ ନୁହେଁ । ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।


