ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କୁ ତାଙ୍କ ସାନଭାଇ ବାମଦେବ ରାଉତ ପାରାଦୀପରୁ ଟକ୍କର ଦେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡାକ୍ତର ରାଉତଙ୍କ ଦିବଂଗତ ବଡ଼ଭାଇଙ୍କ ଝିଅକୁ ବିଜେଡି ପାରାଦୀପରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ମଧ୍ୟରେ ସାନଭାଇ ବାମଦେବ ଅଚାନକ ଗଣମାଧ୍ୟମରେ ମୁହଁ ଖୋଲିବାକୁ ନେଇ ପାରାଦୀପ ରାଜନୀତି ସରଗରମ ହୋଇଛି ।
ସୂଚନା ଅନୁସାରେ ପାରାଦୀପ ନିର୍ବାଚନମଣ୍ଡଳୀର ଆଗଧାଡ଼ିର ବିଜେଡି ନେତାମାନଙ୍କୁ ୨୩ ତାରିଖରେ ବିଜେଡି ଦଳୀୟ ମୁଖ୍ୟାଳୟକୁ ଡାକି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରାଯିବା ପରେ ଡାକ୍ତର ରାଉତ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଜି ସେ ସାମ୍ବାଦିକମାନଙ୍କୁ ଡାକି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରିଥିବାବେଳେ ପୁଣିଥରେ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ।
ଏପଟେ ଡାକ୍ତର ରାଉତଙ୍କ ସାନ ଭାଇ ବାମଦେବ ରାଉତ ଯେକି ଏବେ ବିଜେପିରେ ଅଛନ୍ତି, ସେ କହିଛନ୍ତି ଯେ ଯଦି ତାଙ୍କୁ ବିଜେଡି ଟିକେଟ୍ ମିଳେ ତା’ହେଲେ ସେ ପାରାଦୀପରୁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସେ ଏବେ ବିଜେପିରେ ଅଛନ୍ତି । ଯଦି ବିଜେପି ତାଙ୍କୁ ପ୍ରାର୍ଥୀ କରେ ତେବେ ସେ ଲଢ଼ିବାକୁ ରାଜି ଅଛନ୍ତି । ନିଜ ବଡ଼ଭାଇଙ୍କ ଝିଅଙ୍କୁ ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଯଦି ଝିଆରୀକୁ ବିଜେଡି ଟିକେଟ୍ ଦିଏ, ତା’ହେଲେ ସେ ପ୍ରାର୍ଥୀ ହେବାରେ କୌଣସି ସମସ୍ୟା ନାହିଁ । ଝିଆରୀ ପଛରେ ତାଙ୍କର ପୂର୍ଣ୍ଣ ସମର୍ଥନ ରହିବ । ସେ ବିଜେଡିରେ ଥିଲାବେଳେ ୨୦୦୪ ମସିହାରେ ଜଗତସିଂହପୁରରୁ ଲୋକସଭା ପ୍ରାର୍ଥୀ ହୋଇଥାନ୍ତେ । ମୁଖ୍ୟମନ୍ତ୍ରୀ ଓ ପ୍ୟାରୀ ମହାପାତ୍ର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶେଷ ମୁହୂର୍ତରେ ତାଙ୍କ ନାଁ ବାଦ ପଡ଼ିଥିଲା । ପରେ ସେ ମୁଖ୍ୟମନ୍ତ୍ରୀ ଓ ପ୍ୟାରୀବାବୁଙ୍କୁ ପଚରାଯିବାରୁ ସେମାନେ କହିଥିଲେ ଯେ ଏକଥା ଡାକ୍ତର ଦାମୋଦର ରାଉତଙ୍କୁ ଯାଇ ପଚାର । ଡାକ୍ତର ରାଉତଙ୍କ ବହିଷ୍କାର ପ୍ରସଙ୍ଗରେ ସେ ସିଧାସଳଖ କିଛି କହିନଥିଲେ ମଧ୍ୟ ବିଜେଡି ତାଙ୍କୁ ଅନେକ କିଛି ଦେଇଛି । ସେ ନିଜର ତୁଣ୍ଡ ପାଇଁ ଏଭଳି କାର୍ୟ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ତାଙ୍କ ଭାଇ ଡାକ୍ତର ରାଉତ ରାଜନୀତିରୁ ଅନେକ କିଛି ପାଇଛନ୍ତି । ଯାହା ପାଇଛନ୍ତି ତାହା କେବଳ ନିଜ ପାଇଁ । ତାଙ୍କୁ ଦଳ ଅନେକ କିଛି ଦେଇଛି । ଆଉ ତାଙ୍କର ଉତଥାନ ସମୟରେ ପରିବାର ତାଙ୍କୁ ଅନେକ ସହାୟତା କରିଛି । କିନ୍ତୁ ପ୍ରତିବଦଳରେ ସେ ପରିବାରକୁ କିଛି ଦେଇନାହାନ୍ତି । ଦଳରେ ରହି ଏଭଳି କହିବା ମଧ୍ୟ ତାଙ୍କ ପକ୍ଷେ ଠିକ୍ ହୋଇନି ବୋଲି ବାମଦେବ କହିଛନ୍ତି ।
ଅପରପକ୍ଷରେ ଡାକ୍ତର ରାଉତ କଟାକ୍ଷ କରି କହିଛନ୍ତି ଯେ ତାଙ୍କ ପୁଅ ପରା ଏବେ ବିଜେଡିରେ ଅଛନ୍ତି । ତାକୁ ଟିକେଟ୍ ଦେଉନାହାନ୍ତି । ଆଉ ବାମଦେବଙ୍କୁ ବିଜେଡି ଟିକେଟ୍ ଦେବାକୁ ଆରମ୍ଭ ହୋଇଥିବା ଡାକ୍ତର ରାଉତଙ୍କ ସଫଳ ଚାଲ୍ ବୋଲି ଚର୍ଚ୍ଚା ।


