ଚେନ୍ନାଇ: ଦକ୍ଷିଣ ଭାରତର ମହାନ୍ ଅଭିନେତା ତଥା ରାଜନେତା କମଲ ହାସନ୍ ଆଜି ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ଚେନ୍ନାଇରେ ଇନ୍ଭେଷ୍ଟର୍ସ ମିଟରେ ଯୋଗ ଦେବାକୁ ଯାଇଥିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏକାନ୍ତରେ ଭେଟି ଶ୍ରୀ ହାସନ ଆଲୋଚନା କରିଛନ୍ତି।ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ରାଜନୀତିକ ଟିପ୍ସ ନେବାକୁ ଶ୍ରୀ ହାସନ୍ ଆସିଥିବା ନିଜେ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହାସନ୍ କହିଛନ୍ତି ଯେ, ଯେହେତୁ ସେ ରାଜନୀତିରେ ନୂଆ, ତେଣୁ ନବୀନଙ୍କ ପରାମର୍ଶ ନେବା ପାଇଁ ସେ ତାଙ୍କୁ ଭେଟିଥିଲେ।ବିଜେଡି ସୁପ୍ରିମୋଙ୍କର ସେ ଜଣେ ପ୍ରଶଂସକ।ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ ସମୟରେ ଅନେକ ସମାଲୋଚନାର ଶିକାର ହୋଇଥିଲେ ।କିନ୍ତୁ ପରେ ସେ ସେମାନଙ୍କଠୁ ଅଧିକ ହାସଲ କରିଛନ୍ତି।ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁ ସେ ପ୍ରଶଂସା କରିଥିଲେ।ଲୋକଙ୍କ ପାଇଁ ସେ ଅନେକ ନୂଆ ଯୋଜନା କରିଛନ୍ତି।ଏଥିରୁ କେତେକ ସର୍ବଭାରତୀୟସ୍ତରରେ ଗ୍ରହଣୀୟ ହୋଇଛି।ତାଙ୍କର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସବୁଠୁ ଭଲ।ଯେହେତୁ ତାଙ୍କଠୁ ଅନେକ କିଛି ଶିକ୍ଷା କରିବାର ଅଛି, ତେଣୁ ଆଜି ତାଙ୍କୁ ଭେଟି ଜଣେ ପ୍ରଶଂସକ ଭାବେ ପରାମର୍ଶ ଲୋଡ଼ିଥିଲି।
ସୂଚନାଯୋଗ୍ୟ ଅଭିନେତା ହାସନ ଏବେ ମକ୍କଲ ନିଧି ମୈଆମ୍ (ଏମଏନଏମ) ନାଁରେ ନୂଆ ଦଳ ଗଢ଼ି ଏହାର ସଭାପତି ଅଛନ୍ତି।


