ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟରତ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ପାରିଶ୍ରମିକ ଆସନ୍ତା ମାସରୁ ଲାଗୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଓ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।
ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ ସମସ୍ତ ଆଶାକର୍ମୀ ଏବଂ ସେମାନଙ୍କ ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ । ସେହିପରି ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଯେଉଁ ଅଙ୍ଗନୱାଡ଼ି କର୍ମୀ ପୂର୍ବରୁ ୩୦୦୦ଟଙ୍କା ପାଉଥିଲେ ସେମାନେ ଏବେ ୪୫୦୦ଟଙ୍କା ପାଇବେ । ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ । ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ମଧ୍ୟ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୨୫୦ ଟଙ୍କା କରାଯାଇଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର (ଆଇସିଡିଏସ-ସିଏଏସ) ବ୍ୟବହାର କରୁଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତା ପ୍ରଦାନ କରାଯିବ । ଏହି ଭତା ୨୫୦ରୁ ୫୦୦ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତିକ ହେବ ।
ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୩-ଏ ଟିମ – ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଏଏନଏମ (ସହାୟିକା ନର୍ସ)ମାନଙ୍କ ସହ ମତ ବିନିମୟ କରିଥିଲେ ।ଦେଶରେ କୁପୋଷଣ ହ୍ରାସ ଦିଗରେ ସେମାନଙ୍କ ମିଳିତ ପ୍ରୟାସ ଏବଂ ଅଭିନବ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ ।


