ଭୁବନେଶ୍ୱର : ପାଣି ବିକିବା ଅଭ୍ୟାସ ଓ ମାନସିକତା ବିଜେପିର ଅଛି, ଯାହା ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ମହାନଦୀ ସମସ୍ୟା ଓ ମହାନଦୀର ଜଳ ବଣ୍ଟନକୁ ନେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଯାହା ବକ୍ତବ୍ୟ ରଖିଛନ୍ତି, ତାହା କେବଳ ବିଭ୍ରାନ୍ତିମୂଳକ ନୁହେଁ, ଭ୍ରମାତ୍ମକ, ଅଯୌକ୍ତିକ ଓ ସମ୍ବିଧାନ-ସଂଘୀୟ ବିଧିବ୍ୟବସ୍ଥାର ପରିପନ୍ଥୀ ଏବଂ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ପରିଚୟ । ସମଗ୍ର ଓଡ଼ିଶାବାସୀଙ୍କ ପ୍ରତି ଏକ ପରୋକ୍ଷ ଧମକ । ଛତିଶଗଡ଼ର ଆସନ୍ନ ନିର୍ବାଚନ ଏବଂ ସେହି ଉଦ୍ଦେଶ୍ୟରେ ଶ୍ରୀ ସିଂହ ତାଙ୍କ ରାଜ୍ୟରେ ବିକାଶ ଯାତ୍ରା କରୁଥିବା ଅବସରରେ ଏହିପରି ବିନାଶକାରୀ ମନ୍ତବ୍ୟ ଦେବା ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷୁବ୍ଧ କରିଛି । ଆନ୍ତଃରାଜ୍ୟ ନଦୀ ସଂକ୍ରାନ୍ତୀୟ ସମସ୍ତ ଆଇନ୍, କାନୁନ୍ ବିଧିବିଧାନକୁ ଉଲ୍ଲଂଘନ କରି ଓଡ଼ିଶାରେ ମହାନଦୀର ଜଳଧାରାକୁ ପ୍ରତିହତ କରୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ଏପରି ବକ୍ତବ୍ୟ ଓଡ଼ିଶାବାସୀଙ୍କ ପ୍ରତି କଟା ଘା’ରେ ଚୁନ ସଦୃଶ । ମହାନଦୀ ସଂପର୍କରେ ଗତ ୨ବର୍ଷ ଧରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଜଳ ସଂପଦ ମନ୍ତ୍ରୀ ଅଯୌକ୍ତିକ ଟିପ୍ପଣୀ ଦେବା, ସଂସଦରେ ଏବଂ ବିଭିନ୍ନ ଫୋରମ୍ରେ ଛତିଶଗଡ଼ର ବେଆଇନ୍ ନିର୍ମାଣ ଧରାପଡିବା ପରେ ତାକୁ ବେଖାତିର କରିବା, କେନ୍ଦ୍ର ସରକାର ଏଥିପ୍ରତି ଟାଳଟୁଳ ନୀତି ଅବଲମ୍ବନ କରିବା, ମହାନଦୀରେ ଓଡ଼ିଶା ପ୍ରାପ୍ୟ ସଂପର୍କରେ ନିରବଦ୍ରଷ୍ଟା ସାଜିବା, ଛତିଶଗଡ଼ ବିଜେପି ସରକାର ପ୍ରତି କେନ୍ଦ୍ର ବିଜେପି ସରକାରର ପ୍ରୀତିକୁ ପଦାରେ ପକାଇଛି । ରମଣ ସିଂହଙ୍କ ଏଭଳି ଦମ୍ଭୋକ୍ତିରୁ ଜଣାପଡୁଛି ଯେ ସେ ସଂଘୀୟ ବ୍ୟବସ୍ଥାକୁ କେତେ ସମ୍ମାନ ଦିଅନ୍ତି ଏବଂ କାହାର ସାହସ ଓ ସମର୍ଥନରେ ଏଭଳି ଔଦ୍ଧତ୍ୟପୂର୍ଣ୍ଣ ବକ୍ତବ୍ୟ ରଖୁଛନ୍ତି? ଏହି ବକ୍ତବ୍ୟ ଓଡ଼ିଶାବାସୀଙ୍କୁ ଅସମ୍ମାନ କରିଛି ଏବଂ ଆମେ ଏହାର ଘୋର ନିନ୍ଦା କରୁଛୁ । ନିର୍ବାଚନ ପାଖେଇ ଆସୁଥିବାରୁ ମହାନଦୀକୁ ନେଇ ଓଡ଼ିଶା ସରକାର ଓ ବିଜୁ ଜନତା ଦଳ ରାଜନୀତି କରୁଛନ୍ତି ବୋଲି ରମଣ ସିଂହଙ୍କ ଅଭିଯୋଗ ନିହାତି ଅବାନ୍ତର ଓ ହାସ୍ୟାସ୍ପଦ । ଓଡ଼ିଶାରେ ନିର୍ବାଚନ ଯଥେଷ୍ଟ ପୂର୍ବରୁ ଛତିଶଗଡ଼ରେ ନିର୍ବାଚନ ହେବାକୁ ଯାଉଛି ଏବଂ ଶ୍ରୀ ସିଂହ ମନ୍ତବ୍ୟ ରଖିଛନ୍ତି ଯେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟମାନଙ୍କରେ ଗୋଟିଏ ଦଳର ସରକାର ରହିଲେ ଏ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି, କିଏ ରାଜନୀତି କରୁଛି? ସମୁଦାୟ ମହାନଦୀ ବେସିନ୍ରୁ ଛତିଶଗଡ଼ର ହେଉଛି ୭୫ ହଜାର ୨୮ ବର୍ଗ କିଲୋମିଟର ଏବଂ ଓଡ଼ିଶାର ୬୫୯୩୫ ବର୍ଗ କିଲୋମିଟର ଅର୍ଥାତ୍ ଓଡ଼ିଶାର ୪୬.୬% କ୍ୟାଚ୍ମେଣ୍ଟ ଏରିଆ ଅଛି । ରମଣ ସିଂହ କେଉଁଭଳି ଆକଳନ କରି କହିଲେ ଯେ ଛତିଶଗଡ଼ରେ ୮୫% ମହାନଦୀର ବେସିନ୍ ଅଛି? ମହାନଦୀରେ ଯେତିକି ପାଣି ପ୍ରବାହ ହେଉନାହିଁ, ତା’ଠାରୁ ଅଧିକ ପାଣି ଉପଯୋଗ କରିବେ ବୋଲି ଛତିଶଗଡ଼ ସରକାର ଯୋଜନା କରିଛନ୍ତି । ଏନ୍ଜିଟିକୁ ମାନିବୁ ନାହିଁ, ଭାରତର ସମ୍ବିଧାନକୁ ମାନିବୁ ନାହିଁ, କାହାର ଦାଦାଗିରିରେ ଛତିଶଗଡ଼ ଏପରି କରୁଛି? ଏଭଳି ସ୍ଥିତିରେ ରମଣ ସିଂହ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ଏବଂ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ମହାନଦୀରୁ ଆମର ଜୀବନ, ଜୀବିକା ଓ ପରିବେଶ ପାଇଁ ତା’ର ନ୍ୟାଯ୍ୟ ପ୍ରାପ୍ୟରୁ କେହି ବଞ୍ôଚତ କରିପାରିବେ ନାହିଁ । ଏହି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ସଂପର୍କରେ ଦଳ, ମତ ନିର୍ବିଶେଷରେ ଜନସାଧାରଣ ସଚେତନ ହେଲେଣି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।


