ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀମାନେ ବୟନିକା ଶାଢ଼ୀ ପିନ୍ଧିବେ ବୋଲି ରାଜ୍ୟ ବୟନଶିଳ୍ପ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।
ଆଜି ସଚିବାଳୟରେ ଆୟୋଜିତ ବୈଠକ ପରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଛନ୍ତି ଯେ ଶିକ୍ଷୟିତ୍ରୀମାନଙ୍କର ଶାଢ଼ୀର ରଙ୍ଗ(ଡ୍ରେସ୍ କୋଡ୍ ) ପୂର୍ବଭଳି ଅପରିବର୍ତ୍ତିତ ରହିବ । ସେମାନେ ଏଣିକି ହସ୍ତତନ୍ତ ଶାଢ଼ୀ ପିନ୍ଧିବେ । ପ୍ରାୟ ୧.୨୦ଲକ୍ଷ ଶିକ୍ଷୟିତ୍ରୀଙ୍କୁ ବୟନିକା ଆଉଟଲେଟ୍ ମାଧ୍ୟମରେ ଏହି ଶାଢ଼ୀ ଯୋଗାଇ ଦିଆଯିବ । ବୁଣାକାରଙ୍କୁ ସ୍ୱଚ୍ଛଳ କରାଯିବା ସହ ବର୍ଷ ସାରା କାମ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ପରାମର୍ଶ ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ବୟନିକାର ହ୍ୟାଣ୍ଡଲୁମ୍ ଶାଢ଼ୀର ଦାମ ଟିକେ ଅଧିକ ରହିଥିବାରୁ ଏସବୁ ଶାଢ଼ୀକୁ ସରକାର ସବସିଡି ଦରରେ ଶିକ୍ଷୟିତ୍ରୀମାନଙ୍କୁ ଯୋଗାଇ ଦେବେ । ସେହିପରି ସ୍କୁଲ ପିଲାଙ୍କୁ ହ୍ୟାଣ୍ଡଲୁମ୍ ତିଆରି ୟୁନିଫର୍ମ ଯୋଗାଇ ଦେବାକୁ ଚିନ୍ତା କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ମଧ୍ୟ ବୟନିକା କପଡ଼ାରେ ହେବ ବୋଲି ସେ କହିଛନ୍ତି ।


