ଭୁବନେଶ୍ୱର: ସରକାରଙ୍କ ବିରୁଦ୍ଧରେ ଗୋଟିଏପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣିବା ଓ ଏରସମାରେ କଂଗ୍ରେସ-ବିଜେପି ନେତାଙ୍କୁ ଧରି ବିପ୍ଲବ ଦିବସ ସମାରୋହ ପାଳିବା ଏବେ ବିଜେଡିର ବରିଷ୍ଠ ନେତା ଡାକ୍ତର ରାଉତଙ୍କୁ ମହଙ୍ଗା ପଡ଼ିଛି । ପାରାଦୀପ ବିଧାୟକ ଡାକ୍ତର ରାଉତଙ୍କ ବିରୁଦ୍ଧରେ ଦିନେଦୁଇଦିନ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଡାକ୍ତର ରାଉତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି ।
ଦାମଙ୍କ ଦଳବିରୋଧୀ ଗତିବିଧି ସମ୍ପର୍କରେ ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ଗତକାଲି ନବୀନ ନିବାସରେ ଭେଟି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଅଭିଯୋଗ କରିଥିଲେ । ଶ୍ରୀ ମୁଦୁଲି ଲିଖିତ ଭାବେ ଅଭିଯୋଗ କରିବା ସହ ତୁରନ୍ତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିଷ୍ଣୁ ଦାସ ମଧ୍ୟ ଦାମଙ୍କ ବହିଷ୍କାର ଦାବି କରିଥିଲେ ।
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଏରସମା-ବାଲିକୁଦା ବିଧାୟକ ଶ୍ରୀ ମୁଦୁଲିଙ୍କ ନେତୃତ୍ୱରେ ତାଙ୍କ ନିର୍ବାଚନମଣ୍ଡଳୀର ପ୍ରାୟ ୨ହଜାରରୁ ଉଦ୍ଧ୍ୱର୍ ଦଳୀୟ କର୍ମୀ ଓ ନେତା ଆଜି ସକାଳେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଡାକ୍ତର ରାଉତଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡାକ୍ତର ଦାମୋଦର ରାଉତଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ତାଙ୍କୁ ମିଳିଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ଉପରେ ସେ ଗୁରୁତର ସହ ବିଚାର କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଆଜି ଡାକ୍ତର ରାଉତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନେବେ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ।
ଏପଟେ ଡାକ୍ତର ରାଉତ ମଧ୍ୟ ଚୁପ୍ ବସିନାହାନ୍ତି । ସେ କହିଛନ୍ତି ଯେ ଏବେ ବିଜେଡି ଜଣେ ଅଫିସର ଓ ୩ଜଣ ବିଧାୟକଙ୍କ ଦ୍ୱାରା ପରିଚାଳିତ ହେଉଛି । ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ ଓ ଦେବାଶିଷ ସାମନ୍ତରାୟ ଯେଉଁ ବିଜେଡିକୁ ଚଳାଉଛନ୍ତି ସେଥିରେ ଏବେ ସେ ନାହାନ୍ତି । ତାଙ୍କୁ ନଜଣାଇ ମନ୍ତ୍ରୀ ପଦ କାଢ଼ି ନିଆଗଲା । ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବାହାର କରିଦିଆଯାଇଛି । ତାଙ୍କ ନିକଟରେ କ’ଣ ଅଛି ସେ ତାଙ୍କୁ ବାହାର କରାଯିବ । ଦଳର ସଭାପତି ସବୁ ଜାଣିଛନ୍ତି ସେ ଯାହା ନିଷ୍ପତି ନେବେ ।
ସୂଚନାଯୋଗ୍ୟ ଗତକିଛି ଦିନ ଧରି ଡାକ୍ତର ରାଉତ ଚାରା ଦୁର୍ନୀତି, ଓମଫେଡ୍ ଦୁର୍ନୀତି, ସମବାୟ ଋଣ ଦୁର୍ନୀତି ଓ ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣି ବିଜେଡି ସରକାରର ମୁଣ୍ଡବ୍ୟଥା ବଢ଼ାଇଥିଲେ । ମାତ୍ର ଏରସମାରେ ବିପ୍ଲବ ଦିବସ ସମାରୋହ ପାଳନ ଆଳରେ କଂଗ୍ରେସ ଓ ବିଜେପି ନେତାଙ୍କ ଗହଣରେ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ୍ କରିବା ତାଙ୍କ ପାଇଁ ସବୁଠୁ ବଡ଼ ଅଡ଼ୁଆ ସୃଷ୍ଟି କରିଛି । ଏହି ପ୍ରସଙ୍ଗକୁ ଆଧାର କରି ଦଳ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇ ନିଷ୍ପତି ନେଇସାରିଥିବା ସ୍ପଷ୍ଟ ହୋଇଛି ।


