ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକସଙ୍ଗେ ନିର୍ବାଚନର ପରିକଳ୍ପନା ପ୍ରଥମେ ୨୦୦୪ ମସିହାରେ କରିଥିଲେ ଓ ସେହି ବର୍ଷ ହିଁ ଏହାକୁ କାର୍ଯ୍ୟକାରୀ କରାଇଥିଲେ ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି । ଏହା ସହିତ ଏକକ ନିର୍ବାଚନ ପ୍ରସଙ୍ଗରେ ଆସନ୍ତା ୧୦ତାରିଖରେ ଜାତୀୟ ଲ’ କମିଶନଙ୍କ ନିକଟରେ ବିଜେଡି ନିଜର ପକ୍ଷ ରଖିବ ବୋଲି ସୂଚନା ଦେଇଛନ୍ତି ।
ସାଂସଦ ଶ୍ରୀ ମିଶ୍ର କହିଛନ୍ତି ଯେ, କମିଶନ ତାଙ୍କଆଡ଼ୁ ସମୟରେ ପରିବର୍ତ୍ତନ କରିଛନ୍ତି । ବିଜେଡିକୁ ପକ୍ଷ ରଖିବା ପାଇଁ ୧୦ତାରିଖ ଅପରାହ୍ନ ୩ଟାର ସମୟ ଦେଇଛନ୍ତି । ଉକ୍ତଦିନ ବିଜେଡି ଏକକ ନିର୍ବାଚନ ପ୍ରସଙ୍ଗରେ କମିଶନଙ୍କ ନିକଟରେ ଲିଖିତ ଭାବେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ । ବାସ୍ତବପକ୍ଷେ ଦେଖିବାକୁ ନବୀନ ପଟ୍ଟନାୟକ ହିଁ ପ୍ରଥମେ ୨୦୦୪ ମସିହାରେ ଏଭଳି ଏକକ ନିର୍ବାଚନର ପରିକଳ୍ପନା କରିଥିଲେ ଓ ଅପ୍ରତ୍ୟାଶିତ ଭାବେ ସେହିବର୍ଷ ହିଁ ଏହାକୁ କାର୍ଯ୍ୟକାରୀ କରାଇଥିଲେ । ଏଭଳି ପଦକ୍ଷେପ ନେବା ପାଇଁ ଦେଶର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଆଜିପର୍ଯ୍ୟନ୍ତ ସତ୍ସାହସ ଦେଖାଇନାହାନ୍ତି । କାରଣ ୨୦୦୫ ଫେବୃୟାରୀ ମାସରେ ରାଜ୍ୟରେ ବିଧାନସଭା ନର୍ବାଚନ ହେବାର ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁଃସାହସ ପଦକ୍ଷେପ ନେଇ ୨୦୦୪ ମସିହାରେ ନିର୍ବାଚନ କରାଇଥିଲେ । ଗୋଟିଏବର୍ଷର କାର୍ଯ୍ୟକାଳକୁ ରାଜ୍ୟର ସ୍ୱାର୍ଥ ଓ ଓଡ଼ିଶା ଲୋକଙ୍କ ହିତ ପାଇଁ ବଳି ପକାଇଥିଲେ । ସେହିବର୍ଷ ଲୋକସଭା ନର୍ବାଚନ ସହ ବିଧାନସଭା ନିର୍ବାଚନକୁ ଏକାଠି କରାଇଥିଲେ । ତେଣୁ ଏକସଙ୍ଗେ ନିର୍ବାଚନକୁ ବିଜେଡି ସ୍ୱାଗତ କରୁଛି । ଏହା ଦ୍ୱାରା ବେଶୀ ସମୟ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିବ ନାହିଁ କିମ୍ବା ଦୁଇଥର ନିର୍ବାଚନ ଖର୍ଚ୍ଚ ହେବ ନାହିଁ । ରାଜ୍ୟ ରାଜକୋଷର ବିପୁଳ ପରିମାଣର ଅର୍ଥ ମଧ୍ୟ ସଞ୍ଚୟ ହୋଇପାରିବବୋଲି ଶ୍ରୀ ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ, ଏକକ ନିର୍ବାଚନ ପ୍ରସଙ୍ଗରେ ଜାତୀୟ ଲ’ କମିଶନଙ୍କ ପାଖରେ ଜୁଲାଇ ୭-୮ତାରିଖରେ ବିଜେଡି ପକ୍ଷ ରଖିବାର କାର୍ଯ୍ୟକ୍ରମ ରହିଥିଲା ।


