ନୂଆଦିଲ୍ଲୀ: କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନେଇବାରେ ଲାଗିଛି। ଅନେକ ବରିଷ୍ଠ ନେତା ଦଳ ମଧ୍ୟ ଛାଡ଼ୁଛନ୍ତି। କଂଗ୍ରେସରେ କନ୍ଦଳ ଲାଗି ରହିଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସେ କଂଗ୍ରେସର ରାଜ୍ୟ ମୁଖ୍ୟମାନଙ୍କୁ ଶୃଙ୍ଖଳା ଓ ଏକତା ଜ୍ଞାନ ଦେଇଛନ୍ତି। ସେହିପରି ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଦଳର ଓ ଲୋକଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ଆରଏସ୍ଏସ୍ ଓ ବିଜେପିର ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ମଧ୍ୟ ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ସୋନିଆ ଦଳର ମହାସଚିବ, ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ବୈଠକ ଆରମ୍ଭରୁ ସୋନିଆ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶର ଯୁବକ ଓ ଯୁବତୀମାନେ ସେମାନଙ୍କର ଇଚ୍ଛା ଓ ଦାବି ପୂରଣ ପାଇଁ ଆନ୍ଦୋଳନ ଚାହୁଁଛନ୍ତି। ସେମାନଙ୍କୁ ଗୋଟିଏ ମଞ୍ଚ ଯୋଗାଇ ଦେବା ଦାୟିତ୍ୱ ଆମର।ସୋନିଆ ଆହୁରି କହିଛନ୍ତି ଯେ ବିଜେପି-ଆରଏସଏସର ବିଚାରଧାରା ବିରୋଧରେ ଆମକୁ ଜୋରଦାର ଲଢ଼େଇ ଲଢ଼ିବାକୁ ହେବ। ଆମକୁ ସମ୍ପୂର୍ଣ୍ଣ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଏହା କରିବାକୁ ପଡ଼ିବ। ଯଦି ଆମକୁ ଏହି ଯୁଦ୍ଧରେ ଜିତିବାର ଅଛି, ତା’ହେଲେ ଆମକୁ ସେମାନଙ୍କ ମିଛକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପଡ଼ିବ। ଆମେ ଏକାଠି ରହିଲେ ସବୁ କିଛି ସମ୍ଭବ ହୋଇପାରିବ।


