ଭୁବନେଶ୍ୱର (ଓଡ଼ିଶା ୱେୟାର): ରାଜ୍ୟରେ ଚାଷୀକୁଳ ସ୍ୱାର୍ଥର ସୁରକ୍ଷା ପାଇଁ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ଦାବିରେ ବିଜୁ କୃଷକ ଜନତା ଦଳ ନେତୃତ୍ୱରେ ଜାନୁଆରୀ ୮ ତାରିଖରେ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବ । ଏହିକ୍ରମରେ ଜାନୁଆରୀ ୫ ତାରିଖ ଦିନ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତ୍ତା ଓ କୃଷକ ପ୍ରତିନିଧିମାନେ ଦିଲ୍ଲୀ ଯାତ୍ରା କରିବେ । ସେହିଦିନ ସର୍ବପ୍ରଥମେ ସନ୍ଧ୍ୟା ୫ଟା ସମୟରେ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି ଯାତ୍ରା ଆରମ୍ଭ ହେବ । ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ବାହାରି ସମ୍ବଲପୁର, ଝାରସୁଗୁଡ଼ା ଦେଇ ୭ ତାରିଖ ଦିନ ଦିଲ୍ଲୀରେ ପହଞ୍ଚବ । ୮ ତାରିଖ ଦିନ ଧାରଣା ଓ ବିକ୍ଷୋଭ ପରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ।
ଏହି ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ କେନ୍ଦ୍ରରେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ଦୀର୍ଘଦିନ ଧରି ବାରମ୍ବାର ଚାଷୀଭାଇଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଆସୁଥିଲେ ବି ସେମାନଙ୍କ ପ୍ରତି କୌଣସି ଗୁରୁତ୍ୱ ଦେଇନାହାନ୍ତି । ବିଧାନସଭାର ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ପାଇଁ ଗୋଟିଏ ମିନିଟ୍ ସମୟ ନଦେବା, ଓଡ଼ିଶା ଚାଷୀଭାଇମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ହତାଦର ମନୋବୃତ୍ତି ପ୍ରତିବାଦରେ ଆସନ୍ତା ୮ ତାରିଖ ଦିନ ବିଜୁ କୃଷକ ଜନତା ଦଳ ପକ୍ଷରୁ ଦିଲ୍ଲୀରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ୫ ତାରିଖରେ ରାଜ୍ୟ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ସନ୍ଧ୍ୟା ୫ଟାରେ ପୁଷ୍ପ ମାଲ୍ୟାର୍ପଣ ପରେ ସମସ୍ତ ସାଂସଦ, ବିଧାୟକ, ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ବିଜୁ ମହିଳା, ଯୁବ, ଛାତ୍ର ଆଦି ଛାମୁଆ ସଂଗଠନର ସଭାପତିଙ୍କ ସହ କର୍ମକର୍ତ୍ତା, ବିଜୁ କୃଷକ ଜନତା ଦଳର ସମସ୍ତ କର୍ମକର୍ତ୍ତା, ବିଶେଷଭାବେ ଚାଷୀଭାଇମାନେ ସନ୍ଧ୍ୟା ୮ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରାରମ୍ଭ କରିବେ । ୮ ତାରିଖ ଦିନ ବିକ୍ଷୋଭ ଓ ପ୍ରତିବାଦ ସଭା ପରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଏକ ପ୍ରତିନିଧି ଦଳ ଭେଟି ସ୍ମାରକପତ୍ର ପ୍ରଦାନ କରିବେ । ଚାଷୀଭାଇମାନଙ୍କ ପାଇଁ ଯେଉଁ ଲଢ଼େଇ ବିଜୁ ଜନତା ଦଳ ଜାରି ରଖିଛି, ସେଥିରେ ଯେପରି ସଫଳ ହେବ ସେଥିପାଇଁ ରାଜ୍ୟର ସମସ୍ତ ଚାଷୀଭାଇମାନେ ସହଯୋଗ କରିବାର ଆବଶ୍ୟକତା ବୋଲି ଶ୍ରୀ ଜେନା କହିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ସଂପାଦକ ବିଜୟ ନାୟକ ଓ ବିଜୁ କୃଷକ ଜନତା ଦଳ ସାଧାରଣ ସଂପାଦକ କିଶୋର ମେହେର ଉପସ୍ଥିତ ଥିଲେ ।


