ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେବା ସାମ୍ବାଦିକ ଅଭିଜିତ ଆୟର ମିତ୍ରଙ୍କୁ ମହଙ୍ଗା ପଡ଼ିଛି।ସୁପ୍ରିମକୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ସହ ତାଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ଜେଲ୍ ବୋଲି କହିଛନ୍ତି।ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଅଭିଜିତ୍ ଆୟର ଗିରଫ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।
ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ଅଭିଜିତଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ କଡ଼ା ଟିପ୍ପଣୀ ଦେଇଛନ୍ତି।ଜଷ୍ଟିସ ଗୋଗେଇ କହିଛନ୍ତି ଯେ ଅଭିଜିତଙ୍କ ବୟାନ ଧର୍ମୀୟ ଭାବନାକୁ ଉସକାଇବା ଭଳି ହୋଇଛି।ଜାମିନ ପ୍ରଦାନ ପାଇଁ ଏହା ଉପଯୁକ୍ତ ନୁହେଁ।ତେବେ ଅଭିଜିତଙ୍କ ଓକିଲ ତାଙ୍କର ମହକିଲଙ୍କ ଜୀବନ ପ୍ରତି ବିପଦ ଥିବା କହିବାରୁ ଜଷ୍ଟିସ ଗୋଗେଇ କହିଥିଲେ ଯେ, ଜେଲଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ କିଛି ହୋଇନପାରେ।ଆସନ୍ତାକାଲି ଅଭିଜିତଙ୍କୁ ପୁରୀ ସଦର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଅଭିଜିତଙ୍କ ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।ସୋଶାଲ ମିଡିଆରେ କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆପତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଓଡ଼ିଶା ପୁଲିସ ତାଙ୍କୁ ସେପ୍ଟେମ୍ବର ୨୦ତାରିଖରେ ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରୁ ଗିରଫ କରିଥିଲା।ହେଲେ ଦିଲ୍ଲୀର ସାକେତ୍ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ।ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ସେପ୍ଟେମ୍ବର ୨୮ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତେବେ ଅଭିଜିତ୍ ଥାନାରେ ହାଜର ହେବା ପରିବର୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତୀ ଜାମିନ ହାସଲ କରିଥିଲେ। ଏପଟେ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ବିଧାନସଭା ଗୃହ କମିଟି ତାଙ୍କୁ ୧୧ ତାରିଖରେ ହାଜର ହେବାକୁ ନୋଟିସ ପଠାଇଛନ୍ତି।


