ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଓ ବନ୍ଦ ଡାକରାବେଳେ ହିଂସା ଘଟଣାରେ ଆଜି ପୁଲିସ ୧୧ଜଣଙ୍କୁ ଗିରଫ କରିଛି।ଏହାସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ମଧ୍ୟ କଡ଼ା ଆଭିମୁଖ୍ୟ ପୋଷଣ କରି ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। ପୋଡ଼ାଜଳା ଓ ଭଙ୍ଗାରୁଜା ଭିଡିଓ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲିର ଭଙ୍ଗାରୁଜା ଘଟଣା ପରେ ଆଜି ଶ୍ରୀମନ୍ଦିର ଭିତରକୁ ଅନ୍ୟ ୩ଦ୍ୱାର ଦେଇ ସ୍ଥାନୀୟ ଲୋକମାନେ ପ୍ରବେଶ କରିଛନ୍ତି।ପରିଚୟ ପତ୍ର ଦେଖାଇ ସ୍ଥାନୀୟ ଲୋକମାନେ ଅନ୍ୟ ୩ ଦ୍ୱାରରେ ଶ୍ରୀମନ୍ଦିରକୁ ଯାଉଥିବାବେଳେ ଅନ୍ୟମାନେ ଧାଡ଼ିରେ ସିଂହଦ୍ୱାର ବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସ୍ଥିତିର ଅନୁଧ୍ୟାନ ପାଇଁ ଆଜି ପୁଲିସ ଡିଜି ଡଃ ଆରପି ଶର୍ମା, ଆଇଜି ଅମିତାଭ ଠାକୁର ଓ ସୌମେନ୍ଦ୍ର ପ୍ରିୟଦର୍ଶୀ ପୁରୀ ଯାଇ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ।ଆଜି ପୁରୀରେ ସ୍ଥିତି ସାମାନ୍ୟ ରହିଛି।
ସୂଚନାଯୋଗ୍ୟ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ଜେନା ପ୍ରକାଶ ପାଇଥିଲା।ଏହାର ପ୍ରତିବାଦରେ ଗତକାଲି ବନ୍ଦ ପାଳନ କରାଯାଇଥିବାବେଳେ ଲୋକମାନେ ଉଗ୍ର ହୋଇ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ।


