ଭୁବନେଶ୍ୱର:ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ମହିଳାମାନଙ୍କ ପ୍ରତିି ବଢୁଥିବା ଅପରାଧ ଓ ହିଂସା, ମହିଳାଙ୍କୁ ସମ୍ମାନ ଓ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ଚଳିତମାସ ୨୫ତାରିଖରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ‘ସ୍ୱାଭିମାନ ସଂକଳ୍ପ ସମାବେଶ’ ଅନୁଷ୍ଠିତ ହେବ ।
ରାଜ୍ୟ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ମହିଳାମାନଙ୍କୁ ସ୍ୱାଭିମାନର ସହ ବଂଚିବା ନିମନ୍ତେ ସଂକଳ୍ପିତ କରିବା ଓ ଜନଜାଗରଣ ନିମନ୍ତେ ଆସନ୍ତା ୨୫ତାରିଖ ଗୁରୁବାର ପିସିସି ମୁଖ୍ୟାଳୟରେ ‘ସ୍ୱାଭିମାନ ସଂକଳ୍ପ ସମାବେଶ’ ଅନୁଷ୍ଠିତ ହେବ । ଏହି ସମାବେଶକୁ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ଉଦଘାଟନ କରିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ମହିଳା କଂଗ୍ରେସର ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ତ୍ରିସ୍ତରୀୟ ନିର୍ବାଚନରେ ବିଜୟୀ ଓ ପରାଜିତ ମହିଳା ନେତ୍ରୀମାନେ ବହୁ ସଂଖ୍ୟାରେ ଏହି ସମାବେଶରେ ଯୋଗ ଦେବେ ।
ମହିଳାଙ୍କ ପ୍ରତି ଦୁଷ୍କର୍ମ, ନାବାଳିକା ବଳାକ୍ରାର, ଯୌନ ଶୋଷଣ, ପାରିବାରିକ ହିଂସା ଓ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ସଂସଦ ଓ ବିଧାନସଭାରେ ୩୩ % ସଂରକ୍ଷଣ ,ପେଟ୍ରୋଲିୟମ ସାମଗ୍ରୀ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ ନିଶାମୁକ୍ତ ସମାଜ ଗଠନ କରିବାରେ ଉଭୟ ବିଜେପି ଓ ବିଜେଡି ସରକାର ବିଫଳ ହୋଇଛନ୍ତି।ଏପରିକି ଶିକ୍ଷା, ଚିଟ୍ଫଣ୍ଡ ଦୁର୍ନୀତି, ଇନ୍ଦିରା ଆବାସ ଓ ଶୌଚାଳୟ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ସମେତ ଖାଦ୍ୟ ସୁରକ୍ଷା ଯୋଜନାରେ ଡିଲର ଠାରୁ ଧାଡିରେ ଛିଡା ହୋଇ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ମହିଳାଙ୍କ ପ୍ରତି ଚରମ ଅପମାନ ସଦୃଶ ହୋଇଛି । ଦଳୀୟ ଭିତିରେ ଏବେ ସମବାୟ ଓ ଏସଏଚଜି ଋଣ ଯୋଗାଣ ଚାଲିଛି । ଏସବୁକୁ ପ୍ରଦେଶ କଂଗ୍ରେସ ମହିଳା କମିଟି ତୀବ୍ର ବିରୋଧ କରିବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ତଥା କଡ଼ା ଜବାବ ଦେବା ନିମନ୍ତେ ସଂକଳ୍ପ ସମାବେଶରେ ବିଚାରବିମର୍ଶ ହେବ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସୂଚନା ଦେଇଛନ୍ତି।


