- ତିତଲିରେ କେହି ମୃତାହତ ହୋଇନାହାନ୍ତି : ମୁଖ୍ୟମନ୍ତ୍ରୀ
୧୧୧୨ଟି ରିଲିଫ କ୍ୟାମ୍ପରେ ରହିଛନ୍ତି ୩ଲକ୍ଷ ଲୋକ
ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି
ବ୍ରହ୍ଣପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ
ଭୁବନେଶ୍ୱର : ଭୟଙ୍କର ବାତ୍ୟା ‘ତିତଲି’ରେ କେହି ମୃତାହତ ହୋଇନାହାନ୍ତି।ତଳିଆ ଅଂଚଳରୁ ୩ଲକ୍ଷ ଲୋକଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପରେ ସୁରକ୍ଷିତ ରଖାଯାଇ ସେମାନଙ୍କୁ ରିଲିଫ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଭୟଙ୍କର ବାତ୍ୟା ‘ତିତଲି’ ଆଜି ଭୋର ସମୟରେ ପଲାସା ନିକଟରେ ଉପକୂଳ ଛୁଇଁବା ପରେ ପ୍ରଶାସନିକ ପ୍ରସ୍ତୁତି ଓ କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ।
ବଙ୍ଗୋସାଗରରେ ଆସିଥିବା ବାତ୍ୟା ତିତ୍ଲି ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ତିତଲି ପ୍ରଭାବରେ ଗଜପତି ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି।କ୍ଷତିଗ୍ରସ୍ତ ଅଂଚଳରେ ପିଇବା ପାଣି, ବିଦ୍ୟୁତ ସରବରାହ ଓ ସଡ଼କ ଯୋଗାଯୋଗ ଆଦି ଜରୁରୀ ସେବାକାର୍ଯ୍ୟକୁ ପୁନଃସ୍ଥାପିତ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି।ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଂଟନ ଏବଂ ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ଆକଳନ କରି ଶୀଘ୍ର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ତିତଲିର ମୁକାବିଲା ପାଇଁ ୧୩ଟି ଏନଡିଆରଏଫ୍ ଟିମ୍ ସହ ଓଡ୍ରାଫ ଟିମ୍ ମୁତୟନ ହୋଇଥିବାବେଳେ ଗଜପତିରେ ଆଉ ୨ଟି ଏନଡିଆରଏଫ୍ ଟିମକୁ ପଠାଯାଇଛି।ଅଗ୍ନିଶମ ବାହିନୀକୁ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ମୁତୟନ କରାଯାଇଥିବା ଜଣାପଡ଼ିଛି।ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ।
ବାତ୍ୟା ତିତ୍ଲି ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଛି। ଦକ୍ଷିଣ ଓଡ଼ିଶାରେ ବାତ୍ୟା ତିତ୍ଲିର ପ୍ରକୋପ ଦେଖିବାକୁ ମିଳିଛି। ଗଜପତି ଓ ଗଞ୍ଜାମରେ ତାଣ୍ଡବ ରଚିବା ପରେ ରାୟଗଡ଼ା ଏବଂ କନ୍ଧମାଳରେ ବି ବ୍ୟାପକ କ୍ଷୟକ୍ଷତି କରିଛି ତିତ୍ଲି।
ତିତ୍ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୂଲା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି ଅନେକ ଅଂଚଳ ଜଳମଗ୍ନ ହୋଇଛି । ଗଂଜାମ, ଗଜପତି ଓ ରାୟଗଡ଼ା ସହ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ଗଜପତି ଜିଲ୍ଲା ମୋହନାର ଲେଡବନ୍ଧ ନଦୀ ଫୁଲି ରାସ୍ତା ଉପରେ ଚାଲୁଛି ୩ ଫୁଟ୍ ଉଚ୍ଚରେ ପାଣି। ଫଳରେ ବ୍ରହ୍ଣପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ ହୋଇଛି ।
ଅଠରନଳା ପୋଲ ଉପରେ ବି ୫ ଫୁଟ୍ ଉଚ୍ଚର ଜଳ ପ୍ରବାହିତ ହୋଇଛି । ଏହାଦ୍ୱାରା ମୋହନା ବ୍ଳକର ୮ଟି ପଂଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗତକାଲି ରାତିରୁ ଏଯାଏଁ ମୋହନାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେପଟେ ଗଂଜାମ ଜିଲ୍ଲାର ଆସିକା ଓ ସୋରଡ଼ା ବ୍ଳକ୍ରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଆସିକାରୁ ସୋରଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନଳବଣ୍ଟାଠାରେ ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଆସିକା-ବ୍ରହ୍ମପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ଆସିକା-ଦିଗପହଣ୍ଡି ରାସ୍ତାରେ ବି ପାଣି ଚାଲୁଛି । ଗୌଡ଼ଗୋଠ, ଖମାର, ଦାମୋଦରପଲ୍ଲୀ, ଦେଉଳି ଆଦି ତଳିଆ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ରହିଥିବା ବେଳେ ବଂଶଧାରା ବି ଫୁଲିବାରେ ଲାଗିଛି ।


