ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବା ପରଠୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାର କୌଣସି ସୁଯୋଗକୁ ଶାସକ ବିଜେଡି ହାତଛଡ଼ା କରୁନାହିଁ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ସପ୍ତାହେ ବ୍ୟାପୀ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(ଓଡ଼ିଶାର ବିଜେପି ଚେହେରା)ଙ୍କୁ ଭେଟିବାର ୭ଦିନ ନପୁରୁଣୁ ପୁଣି ଦିଲ୍ଲୀ ଯାଇ ଆସନ୍ତାକାଲି ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଜନୀତିକ ଦଳର ମୁଖ୍ୟମାନଙ୍କ ବୈଠକରେ ସାମିଲ ହେବେ । ଯେଉଁଠି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟଘାଟ ପାଇଁ ନବୀନଙ୍କୁ ପୁଣିଥରେ ସୁଯୋଗ ମିଳିବ । ବିଜେପିର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କ ନାମାଙ୍କନ ପତ୍ରରେ ବିଜେଡି ଆଜି ପ୍ରସ୍ତାବକ ମଧ୍ୟ ହୋଇଛି । ବିଜେପିର ନିକଟତର ହେବା ପାଇଁ ନବୀନଙ୍କ ଏଭଳି ରଣନୀତିକୁ ନେଇ ରାଜ୍ୟରେ ବିଜେଡି ଓ ବିଜେପି କର୍ମୀ-ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । ୟୁପିଏ ଶାସନ କାଳରେ ରାଜ୍ୟରେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ନବୀନ ଯେଭଳି ସଫଳ ହୋଇଥିଲେ ଅନୁରୂପ ଭାବେ ଏବେ ରାଜ୍ୟରେ ବିଜେପିକୁ ଦୁର୍ବଳ ନିମନ୍ତେ ନବୀନ ସେଭଳି ରଣନୀତି ପ୍ରସ୍ତୁତ କରିଛନ୍ତି କି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ଦ୍ୱିତୀୟ ପାଳିର ଆରମ୍ଭରୁ ହିଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ସୁହାଇବା ଭଳି ପଦକ୍ଷେପ ନେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ନବୀନ ଓଡ଼ିଶାରେ ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭେଟଘାଟ କରି ବିଜେପିର ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ବିଶେଷକରି ବିଜେପିରେ ଏବେ ଅଟଳ-ଆଡଭାନୀ ଯୁଗର ନେତାମାନେ ପ୍ରଭାବହୀନ ହୋଇପଡ଼ିଥିବାବେଳେ ନରେନ୍ଦ୍ର ମୋଦି-ଅମିତ୍ ଶାହଙ୍କ ଯୁଗ ପ୍ରଭାବ ବିସ୍ତାର କରୁଥିବାରୁ ସେମାନଙ୍କର ନିକଟତର ହେବା ପାଇଁ ନବୀନ ସମ୍ଭବତଃ ଧର୍ମେନ୍ଦ୍ରଙ୍କ ସହ ଭେଟଘାଟ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ସାକ୍ଷାତ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଥିଲା ବୋଲି କୁହାଯାଉଛି କିନ୍ତୁ ଏହାପଛରେ ରାଜନୀତିକ ଅଭିସନ୍ଧି ଜଳଜଳ ହୋଇ ଜଣାପଡ଼ୁଛି। ନିତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ନବୀନ ତା’ପୂର୍ବରୁ ମୋଦି ସରକାରର ମହତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’ରେ ଓଡ଼ିଶାକୁ ସାମିଲ କରାଯିବାକୁ ସବୁଜ ସଙ୍କେତ ଦେଇସାରିଛନ୍ତି।
ଆଜି ବିଜେପିର ନିକଟତର ହେବାର ମାର୍ଗରେ ଆଉ ପାଦେ ଆଗେଇ ଯାଇ ବିଜେପିର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ବିଜେଡି ଖୋଲା ସମର୍ଥନ ଜଣାଇବା ସହ ନାମାଙ୍କନ ପତ୍ରରେ ପ୍ରସ୍ତାବକ ସାଜିବାକୁ ପଛାଇ ନାହିଁ। ଆସନ୍ତାକାଲି କେନ୍ଦ୍ର ସରକାର ଡାକିଥିବା ରାଜନୀତିକ ଦଳର ମୁଖିଆମାନଙ୍କ ବୈଠକରେ ନବୀନ ଯୋଗ ଦେବେ ବୋଲି ସୂଚନା ମିଳିଛି । ବୈଠକରେ ‘ଏକକ ରାଷ୍ଟ୍ର, ଏକକ ନିର୍ବାଚନ’ , ଆକାଂକ୍ଷା ଜିଲ୍ଲାର ବିକାଶ, ସଂସଦର କାର୍ଯ୍ୟଶୈଳୀରେ ସୁଧାର, ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିରେ ନୂଆ ଭାରତ ଗଠନ ଓ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ରାଜନୀତିକ ଦଳ ମୁଖ୍ୟମାନେ ଚାହିଁଲେ ଅନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇପାରିବେ।
ଏସବୁ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଜେପି ସହ ନିକଟତର ହେବାପାଇଁ ନବୀନ ଯେଭଳି ସ୍ପିଡରେ ଚାଲିଛନ୍ତି ତାହା ସଂଘୀୟ ସରକାର ପ୍ରତି ଗଠନମୂଳକ ସହଯୋଗ ନା ତା’ ଆଳରେ ନିଜର ରାଜନୀତିକ ଅଭିସନ୍ଧିକୁ ପୂରଣ କରିବା ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଖଣି, କୋଇଲା ଓ ଚିଟଫଣ୍ଡ ଦୁର୍ନୀତିକୁ ନେଇ ପୂର୍ବରୁ ନବୀନ ସରକାର ବ୍ୟାକଫୁଟରେ ଅଛନ୍ତି। ଏବେ ମୋଦି-ଶାହ ଯୋଡ଼ିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ହିଁ ବିଜେଡିକୁ ଅଧିକ ଆଶଙ୍କାରେ ପକାଇଛି। ଯେଉଁଥିପାଇଁ ବିଜେଡି ଏବେ ଉପରେ ପଡ଼ି ପ୍ରେମ ନିବେଦନ କରିବାକୁ ପଛାଉ ନାହିଁ।
ଅନ୍ୟପକ୍ଷରେ ବିଜେଡି ସିନା ନିଜର ରାଜନୀତିକ ସ୍ୱାର୍ଥ ଓ ଫାଇଦା ପାଇଁ ବିଜେପିର ନିକଟତର ହେବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ଏଥିରୁ ରାଜ୍ୟ ବିଜେପିକୁ କ’ଣ ଫାଇଦା ମିଳିବ ତାହା ବର୍ତ୍ତମାନ ପରିସ୍ଥିତିରେ ‘ଲକ୍ଷେ ଟଙ୍କାର ପ୍ରଶ୍ନ’ ହୋଇଛି । କେନ୍ଦ୍ରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ବିଜେଡି ରାଜ୍ୟରେ ନିଜର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଦୁର୍ବଳ କରିବାର ରଣନୀତିରେ ସଫଳ ହୋଇଥିଲା। ଏବେ ସେହି ଶୈଳୀରେ ବିଜେପି ଶୀର୍ଷ ନେତୃତ୍ୱ ସହ ସମ୍ପର୍କ ବଢ଼ାଇବା ପାଇଁ ଉପରେ ପଡ଼ି ପ୍ରେମ ନିବେଦନ କରିବାରେ ବିଜେଡି ଲାଗିଛି । ତା’ହେଲେ କ’ଣ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେଇଥିବା ରାଜ୍ୟ ବିଜେପି କ’ଣ ବିଜେଡି ସହ ସାଲିସ ରାଜନୀତି କରିବାକୁ ବାଧ୍ୟ ହେବ କି? ଯଦି ବିଜେପି ଶୀର୍ଷ ନେତୃତ୍ୱ ଓ ବିଜେଡି ସୁପ୍ରିମୋଙ୍କ ମଧ୍ୟରେ ଏଭଳି ଭାବ ଦିଆନିଆ ଜାରି ରୁହେ ଓ ତାକୁ ନେଇ ବିଜେପିର ପ୍ରାୟ ଲକ୍ଷ ଲକ୍ଷ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜେ ତେବେ ଓଡ଼ିଶାରେ ୨୦୨୪ରେ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ଖୁବଶୀଘ୍ର କଂଗ୍ରେସର ଦଶା ଭୋଗିବାକୁ ପଡ଼ିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି ।


