ଭୁବନେଶ୍ୱର : ଗରିବ ମହିଳାମାନଙ୍କର ଅଧିକାରକୁ ଲୁଣ୍ଠନ କରି ଆଜି କେନ୍ଦ୍ର ସରକାର ନିଜର ପକେଟ୍ ଗରମ କରୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ନିରବଦ୍ରଷ୍ଟା ପାଲଟି ଏହି ମହାଦୁର୍ନୀତିକୁ ସମର୍ଥନ କରିବା ଓଡ଼ିଶାର ଜନସାଧାରଣଙ୍କ ସହିତ ହେଉଥିବା ବିଶ୍ୱାସ ଘାତକତାକୁ ପଦାରେ ପକାଇଛି । ଏହି ବିଶ୍ୱାସ ଘାତକତାକୁ ଓଡ଼ିଶାର ଗରିବ ମହିଳାମାନେ ବରଦାସ୍ତ କରିବେ ନାହିଁ ଏବଂ ଆସନ୍ତା ନିର୍ବାଚନାରେ ଏହାର ଉଚିତ୍ ଜବାବ ଦେବେ । ବିଜୁ ଜନତା ଦଳ, କେନ୍ଦ୍ର ସରକାର ଏବଂ ବିଜେପି ଦ୍ୱାରା ପ୍ରାୟୋଜିତ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତିକୁ ଦୃଢ଼ତାର ସହିତ ନିନ୍ଦା କରୁଛି ଏବଂ ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆଇଓସିଏଲ୍ ଭୁବନେଶ୍ୱର ଅଫିସ୍ ସମ୍ମୁଖରେ ଆସନ୍ତାକାଲି ସକାଳ ୧୦ଟା ବେଳେ ବିକ୍ଷୋଭ କରିବେ । ଯଦି ଏଥିରେ କେନ୍ଦ୍ର ତୈଳ ମନ୍ତ୍ରାଳୟର ବୁଦ୍ଧି ଉଦୟ ନହୁଏ, ତେବେ ଆଗାମୀ ଦିନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ତୀବ୍ରତର କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଓ ବିଜେପିର ମୁଖା ଖୋଲିଦେବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲିକ କହିଥିଲେ ।
କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜ୍ୱଳା ଯୋଜନା ଏବେ ଗରିବମାନଙ୍କ ଜ୍ୱଳାରେ ପରିଣତ ହୋଇଛି । ଗରିବ ମହିଳାମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜୋରଦାର ପ୍ରଚାର କରୁଥିଲା ବେଳେ ବାସ୍ତବ ସ୍ଥିତି କିନ୍ତୁ ଓଲଟା । ରନ୍ଧନ ଗ୍ୟାସ୍ର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାଫଳରେ ଲୋକମାନେ ଗ୍ୟାସ୍ କିଣିବାକୁ ସମର୍ଥ ହେଉନାହାନ୍ତି । ପରିସଂଖ୍ୟାନରୁ ଜଣାଯାଏ, ଯାହାକି କେନ୍ଦ୍ରମନ୍ତ୍ରୀ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି ସରକାର ଯୋଗାଇ ଦେଇଥିବା ସିଲିଣ୍ଡରର ବହୁ ନଗଣ୍ୟ ଶତାଂଶ ପୁନର୍ବାର ଭରଣା ପାଇଁ ଆସୁଛି । ବସ୍ତୁତଃ ଏହି ଯୋଜନା ବିଫଳ ହୋଇଛି । ଏହି ବିଫଳତାରୁ ମଧ୍ୟ ଫାଇଦା ମିଳୁଛି । ଯେଉଁ ଫାଇଦା ଲୁଟୁଛନ୍ତି ଦୁର୍ନୀତିଗ୍ରସ୍ତ ଦଲାଲମାନେ । ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରୁ ଉଜ୍ଜ୍ୱଳା ଦୁର୍ନୀତି ଏକ ନୀତିଦିନିଆ ସମ୍ବାଦରେ ପରିଣତ ହୋଇଛି । ଏହା ଏନ୍ଡିଏ ସରକାରଙ୍କର ଏକ ବଡ଼ ଦୁର୍ନୀତି ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଏହି ଯୋଜନା କଥା କହି ଯେତେ ବାହାବା ନେବାକୁ ଚେଷ୍ଟା କଲେ ମଧ୍ୟ ତାହା ତାଙ୍କ ପାଇଁ ବୁମେରାଂ ହୋଇଛି । ଗୋଟିଏ ପକ୍ଷରେ ତୈଳ କମ୍ପାନୀଗୁଡିକ ହଜାର ହଜାର କୋଟି ଟଙ୍କାର ଲାଭ କରୁଥିବା ବେଳେ ସାଧାରଣ ଗୃହିଣୀମାନଙ୍କ ଉପରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରି ଯେଉଁ ଛାଟ ମାରିଛନ୍ତି, ତାହାକୁ ଓଡ଼ିଶାର ମହିଳାମାନେ କଦାପି ବରଦାସ୍ତ କରିବେ ନାହିଁ । ଉଜ୍ଜ୍ୱଳା ଯୋଜନାର ମହା ଦୁର୍ନୀତି ପରେ ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି, କଟା ଘା’ରେ ଚୂନ ସଦୃଶ ।
ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଉଜ୍ଜ୍ୱଳା ଯୋଜନାର ଆଉ ଏକ ମହାଦୁର୍ନୀତି ଧରାପଡିଛି । ଉଜ୍ଜ୍ୱଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କୁ ପଞ୍ଜିକୃତ କରାଇ କେନ୍ଦ୍ର ସରକାର ଯେଉଁ ହରିଲୁଟ୍ ଚଲାଇଛନ୍ତି, ତାହା ଅତି ନିନ୍ଦନୀୟ ଏବଂ ଦୁଃଖଦ । ଏହି ମହାଦୁର୍ନୀତି ଧରାପଡିବା ପରେ ଏଥିରେ ଅନିୟମିତତା ହୋଇଛି ବୋଲି ଆଇଓସିଏଲ୍ର କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ଏବଂ ସେଥିପାଇଁ ଗୋଟିଏ ଏଜେନ୍ସିକୁ ମଧ୍ୟ ନିଲମ୍ବିତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ,ମୁଖପାତ୍ର ସୁଲୋଚନା ଦାସ ଏବଂ ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ଉପସ୍ଥିତ ଥିଲେ ।


