ଭୁବନେଶ୍ୱର(ଓଡ଼ିଶା ୱେୟାର):ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ଏପର୍ଯ୍ୟନ୍ତ ନିଜର କୃଷକ ସେଲକୁ ପୁର୍ନଗଠନ କରିପାରିନି । ଏପରିକି ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଦଳ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଦେଇଛି । ଚାଷୀଙ୍କୁ ‘କାଳିଆ’ ଯୋଜନାର ଲୋଭ ଦେଖାଇ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ୍ ହାତେଇଥିବା ବିଜେଡି ଏଥର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀବିରୋଧୀ ବୋଲି କହୁଥିଲେ ବି ତାକୁ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନଗୁଡ଼ିକ କରୁଥିବା ଆନ୍ଦୋଳନକୁ ଖୋଲା ସମର୍ଥନ କରିନି । ଯାହାକି ବିଜେଡିର ଚାଷୀଙ୍କ ପ୍ରତି ଆଭିମୁଖ୍ୟକୁ ପଦାରେ ପକାଇଛି ।
୨୦୧୯ ସାଧାରଣ ନିର୍ବାଚନ ସରିବାପରେ ବିଜେଡି ପାଇଁ ଚାଷୀମାନେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ପଡ଼ିଛନ୍ତି । ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ତ ପୂରଣ ହେଲାନି ଓଲଟା ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆସନ୍ତାକାଲି ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାକୁ ବି ବିଜେଡି ସମର୍ଥନ ଦେଲାନି । ଭୋଟ୍ ହାତେଇବାକୁ ଶାସକ ବିଜେଡି ରାଜ୍ୟରେ ୭୫ଲକ୍ଷ ଚାଷୀ ପରିବାରକୁ ‘କାଳିଆ’ ଯୋଜନା ମାଧ୍ୟମରେ ସହାୟତା ଦେବାକୁ ଘୋଷଣା କରିଥିଲା । କାଳିଆ ଯୋଜନାର ବ୍ୟାପକ ପ୍ରଚାରପ୍ରସାର କରି ଚାଷୀଙ୍କ ଆକାଉଣ୍ଟକୁ ନିର୍ବାଚନ ପୂର୍ବରୁ ୫ହଜାର ଟଙ୍କା ଦେଇଥିଲା । ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଆକୃଷ୍ଟ କରିବା ନିମନ୍ତେ କୌଣସି ସୁଯୋଗକୁ ହାତଛଡ଼ା ମଧ୍ୟ କରିନଥିଲା । ଏପରିକି ରାଜ୍ୟସ୍ତରରେ କୃଷକ ସେଲ୍ ଗଠନ କରିଥିଲା ଓ ଜିଲ୍ଲାଗୁଡ଼ିକରେ ମଧ୍ୟ ଦଳର କୃଷକ ସେଲ୍ ସଭାପତିମାନଙ୍କୁ ନିଯୁକ୍ତି ଦେଇଥିଲା । ଚାଷୀଙ୍କୁ ଧାନ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣ ଅର୍ଥକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଭାବେ ବିଧାନସଭାରେ ସଂକଳ୍ପ ଗୃହୀତ କରିବା ସହ ରାଜରାସ୍ତାରେ ଧାରଣା ଓ ବିକ୍ଷୋଭ ଏବଂ ଦିଲ୍ଲୀରେ ମଧ୍ୟ ଗର୍ଜନ କରିବାକୁ ମଧ୍ୟ ବିଜେଡି ପଛାଇ ନଥିଲା ।
ମାତ୍ର ପଂଚମ ପାଳି କ୍ଷମତାସୀନ ହେବାପରେ ବିଜେଡି ପାଇଁ ଚାଷୀ ଏକ ଅନାବଶ୍ୟକ ପ୍ରସଙ୍ଗ ହୋଇଯାଇଛି । ଚାଷୀଙ୍କଠୁ ଧାନ କିଣାରେ ବ୍ୟାପକ ଅନିୟମିତତା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ପ୍ରଶମିତ ପାଇଁ ବିଜେଡି ସରକାର ବଳପ୍ରୟୋଗ କରିବାକୁ ପଛାଉନାହାନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ଦେବାରେ ବି ସକ୍ଷମ ହୋଇନି । କୋଭିଡ୍ ଯୋଗୁ ଚାଷୀ ପ୍ରଭାବିତ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଆବଶ୍ୟକ ପରିମାଣର ସହଯୋଗ ଦେବାରେ ବିଜେଡି ସରକାର ଆଗ୍ରହ ଦେଖାଇନଥିଲେ ।
ବିଜେଡି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ନିଜର କୃଷକ ସେଲଗୁଡ଼ିକୁ ନିଷ୍କ୍ରିୟ କରି ପକାଇ ରଖିଛି । ହାର ପୁର୍ନଗଠନର ଆବଶ୍ୟକତା ରହିଛି ବୋଲି ଦଳ ମଧ୍ୟ ଅନୁଭବ କରୁନି । ଆସନ୍ତାକାଲି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହାବି ଦଳର ନେତାମାନେ ଜାଣିନଥିଲେ । ବିଜେପି ସହ ସମୀକରଣ ବିଗିଡ଼ିଯିବାର ଭୟରେ ଚାଷୀକୁଳଙ୍କ ସ୍ୱାର୍ଥ ପ୍ରତି ବି ଆଖିବୁଜି ଦେବାକୁ ବିଜେଡି କୁଣ୍ଠାବୋଧ କରିନି । ସଂସଦରେ ବିଲକୁ ବିରୋଧ କରିଥିବା ବିଜେଡି ଏବେ ରାଜ୍ୟରେ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେଇ ଚାଷୀକୁଳର ବିଶ୍ୱାସଭାଜନ ହୋଇପାରିଥାନ୍ତା । ମାତ୍ର ସେଭଳି ନକରି ଦଳ ଜାତୀୟ ରାଜନୀତିରେ ବିଜେପିର ନରେନ୍ଦ୍ର ମୋଦି ସରକାରକୁ ଅସନ୍ତୁଷ୍ଟ ନକରିବାକୁ ନିଷ୍ପତ୍ତି ନେଇଛି । ବିଜେଡି ପାଇଁ ଚାଷୀଙ୍କ ସ୍ୱାର୍ଥ ବିଶେଷ ଗୁରୁତ୍ୱ ବହନ କରିନି । ଯଦିଓ ରାଜ୍ୟରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ନିଜସ୍ୱ କୃଷକ ସେଲ୍ ବେଶ୍ ସକ୍ରିୟ ଭାବେ କାମ କରୁଛି ତଥାପି ବିଜେଡି ନିଜର କୃଷକ ସେଲକୁ ଅକାମୀ କରି ପକାଇ ରଖିଛି । ଯେହେତୁ ଦଳର ସମସ୍ତ ଛାମୁଆ ସଂଗଠନ ଓ ନିଷ୍ପତ୍ତି ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ହୋଇ ରହିଛି ଓ ଏହାର ବିକେନ୍ଦ୍ରୀକରଣ ହୋଇପାରୁନି ତେଣୁ ବିଜେଡି ପାଇଁ ସଂଗଠନ କେବଳ ଏକ ଆଳଙ୍କାରିକ ବୋଲି ରାଜନୀତିକ ବିଶ୍ଲେଷକ ମହଲରେ ଚର୍ଚ୍ଚା ।


