ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ବଜେଟ ଆକାରକୁ ନିୟମିତ ବଢ଼ାଇ ଚାଲିଥିବା ରାଜ୍ୟ ସରକାରଙ୍କ ପାଇଁ କେନ୍ଦ୍ର ସରକାରଙ୍କଠୁ ଅର୍ଥ ହିଁ ‘ସଞ୍ଜିବନୀ’ ପାଲଟିଛିି । ନିଜସ୍ୱ ସମ୍ବଳ ବୃଦ୍ଧି ଦିଗରେ ପଦକ୍ଷେପ ନେଇପାରୁନଥିବାରୁ ନିଜସ୍ୱ ଟିକସ ଆଦାୟ ହାର ସ୍ଥିର ରହିଛି । ଆଉ ଏଇ କାରଣରୁ ରାଜ୍ୟକୁ ରାଜସ୍ୱ ସଂଗ୍ରହରେ କେନ୍ଦ୍ର ଉପରେ ଅଧିକ ନିର୍ଭର ହେବାକୁ ପଡ଼ୁଛି । ରାଜ୍ୟର କ୍ଷମତାସୀନ ବିଜେଡି ସରକାର କେନ୍ଦ୍ରୀୟ ଅବହେଳା କଥା କହୁଥିବାବେଳେ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୦-୨୧ ଉପରୋକ୍ତ ତଥ୍ୟକୁ ଉଜାଗର କରିଛି ।
ଆଜି ବିଧାନସଭାରେ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ,
ରାଜ୍ୟକୁ ମିଳୁଥିବା ରାଜସ୍ୱର ସିଂହଭାଗ କେନ୍ଦ୍ର ସରକାରଙ୍କଠୁ ଟିକସ, ଅନୁଦାନ ଓ ଟ୍ରାନ୍ସଫର ଆକାରରେ ମିଳୁଥିବାବେଳେ ୨୦୧୫-୧୬ ଆର୍ଥିକ ବର୍ଷ ପରଠୁ ଏହି ପରିମାଣ ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୨୦୧୨-୧୩ରୁ ରାଜ୍ୟର ଅଣଟିକସ ରାଜସ୍ୱ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ନିଜସ୍ୱ ରାଜସ୍ୱ ସଂଗ୍ରହ ଉପରେ ରାଜ୍ୟର ନିର୍ଭରଶୀଳତା ସ୍ଥିର ରହିଥିବାବେଳେ କେନ୍ଦ୍ରରୁ ମିଳୁଥିବା ଅର୍ଥ ଉପରେ ନିର୍ଭରତା ବୃଦ୍ଧି ପାଇଛି । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧିରେ କେନ୍ଦ୍ରୀୟ ଅର୍ଥ ମିଳିବାରେ ବୃଦ୍ଧି ଘଟିଛି । ୨୦୧୧-୧୨ରେ ମୋଟ ରାଜସ୍ୱ ସଂଗ୍ରହର ୫୦.୬ ପ୍ରତିଶତ ଅର୍ଥ(ରାଜ୍ୟ ଜିଡିପିର ୮.୮%) କେନ୍ଦ୍ର ସରକାରଙ୍କଠୁ ମିଳୁଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପରିମାଣ ବୃଦ୍ଧି ପାଇ ମୋଟ ରାଜ୍ୟ ରାଜସ୍ୱ ସଂଗ୍ରହର ୫୭ ପ୍ରତିଶତ ହୋଇଛି, ଯାହାକି ରାଜ୍ୟ ଜିଡିପିର ୧୨.୨% ।
ସେହିପରି ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଟିକସରେ ପ୍ରତ୍ୟକ୍ଷ କର ଯଥା- ଟିକସ ଓ ଆୟକର ଟିକସ ଓ ପ୍ରମୁଖ ଭାଗିଦାରୀ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସ ବାବଦରେ ୧୮,୧୧୯.୨୭କୋଟି ଟଙ୍କା ଓ ଅନୁଦାନ ବାବଦରେ ୩୩,୨୮୨କୋଟି ଟଙ୍କା ମିଳିଛି । କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ଓ ବୈଧାନିକ ଅନୁଦାନ ଭାବେ ମିଳୁଥିବା ଅର୍ଥ ମଧ୍ୟ ରାଜ୍ୟ ରାଜସ୍ୱରେ ପ୍ରମୁଖ ଭାଗିଦାରୀ ତୁଲାଉଛି ।
ଅନ୍ୟପକ୍ଷରେ ରାଜ୍ୟର ନିଜସ୍ୱ ସମ୍ବଳ ସଂଗ୍ରହ ସ୍ଥିର ରହିଥିବାରୁ କେନ୍ଦ୍ର ଅର୍ଥ ଉପରେ ଅଧିକ ନିର୍ଭର କରିବାକୁ ପଡ଼ୁଛି । ୨୦୧୧-୧୨ ଆର୍ଥିକ ବର୍ଷରେ ମୋଟ ରାଜ୍ୟ ଜିଡିପିର ୫.୮% ନିଜସ୍ୱ ଟିକସ ଓଡ଼ିଶା ସଂଗ୍ରହ କରୁଥିବାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ୬.୪% ହୋଇଛି । ୨୦୧୫-୧୬ରେ ଏହି ନିଜସ୍ୱ ଟିକସ ସଂଗ୍ରହ ପରିମାଣ ରାଜ୍ୟ ଜିଡିପିର ୬.୯% ଛୁଇଁଥିଲା । ତେବେ ୨୦୧୨-୧୩ ଆର୍ଥିକ ବର୍ଷରୁ ଅଣଟିକସ ରାଜସ୍ୱ ସଂଗ୍ରହ କମିବାରେ ଲାଗିଛି । ୨୦୧୭-୧୮ରେ ଏହି ଅଣଟିକସ ରାଜସ୍ୱ ପରିମାଣ ମୋଟ ରାଜ୍ୟ ଜିଡିପିର ୧.୯% ଥିଲା । ଅବଶ୍ୟ ୨୦୧୯-୨୦ରେ ଏହି ପରିମାଣ ୨.୮%କୁ ବୃଦ୍ଧି ପାଇଛି । ସେହିପରି ପଂଚଦଶ ଅର୍ଥ କମିଶନ ସୁପାରିସ୍ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠୁ ମିଳିବାକୁ ଥିବା ଅର୍ଥ ପରିମାଣ ୫୫ ପ୍ରତିଶତକୁ ହ୍ରାସ ପାଇବ,ଯାହାକି ୨୦୧୯-୨୦ରେ ୫୭ ପ୍ରତିଶତ ଥିଲା ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।


