ଭୁବନେଶ୍ଵର(ଓଡ଼ିଶା ୱେୟାର):ରାଜ୍ୟର ଆଉ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଡିସେମ୍ବର ୧୫ ତାରିଖରୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ୍ କରାଯିବ।ଏହାଦ୍ଵାରା କୌଣସି ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ । ରାଜ୍ୟ ସରକାରଙ୍କ ଲହି ନିଜସ୍ଵ ଯୋଜନା ମଧୁବାବୁ ପେନ୍ସନ୍ରେ ଏବେ ୪୩ ଲକ୍ଷ ହିତାଧିକାରୀ ରହିଛନ୍ତି।
ସେହିପରି ରାଜ୍ୟର ଦୁଃସ୍ଥ ତଥା ଯୋଗ୍ୟ କଳାକାରଙ୍କୁ ରାଜ୍ୟ ସରକାର ଯେଉଁ ଭତ୍ତା ପ୍ରଦାନ କରୁଛନ୍ତି ସେଥିରେ ହିତାଧିକାରୀ ସଂଖ୍ୟା ଆହୁରି ୪୦ ହଜାର ସଂଯୋଗ କରାଯିବ।ସେମାନେ ଏଇ ମାସ ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ଲେଖାଏଁ ପେନ୍ସନ୍ ପାଇବେ। ପ୍ରତି ଜିଲ୍ଲାରେ ଏଥିପାଇଁ ସ୍ଵତନ୍ତ୍ର କ୍ୟାମ୍ପ କରି ୧୫ରୁ ୨୦ ତାରିଖ ଭିତରେ ପେନ୍ସନ୍ ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ପିଠା ଯୋଜନା ମାଧ୍ୟମରେ ଏଥିନେଇ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦେଶ ଦିଆଯାଇଛି।


