ଭୁବନେଶ୍ୱର(ଓଡ଼ିଶା ୱେୟାର):ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଜି ପିସିସି ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ସୂଚନା ଅନୁସାରେ ବୈଠକରେ ସଦସ୍ୟମାନେ ଶ୍ରୀକାନ୍ତଙ୍କ ବିଶୃଙ୍ଖଳା ପ୍ରସଙ୍ଗରେ ମତାମତ ଦେଇଥିଲେ।ତେବେ ଶ୍ରୀକାନ୍ତ ଏଆଇସିସି ସଦସ୍ୟ ହୋଇଥିବାରୁ ତାଙ୍କ ସଂପର୍କରେ ଏଆଇସିସି ନିଷ୍ପତ୍ତି ନେବ। ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପିସିସି ଶୃଙ୍ଖଳା କମିଟି ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛିଜ୍ଝଦଳର ସାଧାରଣ କର୍ମୀଙ୍କଠାରୁ ନେତାଙ୍କ ପର୍ୟ୍ୟନ୍ତ ଅଧିକାଂଶ ଶ୍ରୀକାନ୍ତଙ୍କ କାର୍ୟ୍ୟଧାରାକୁ ନେଇ ବେଶ ଅସନ୍ତୁଷ୍ଟ ଥିବା ଉକ୍ତ ସୁପାରିଶରେ ଉଲ୍ଲେଖ ରହିଛି।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ପର୍ୟ୍ୟାୟରେ ଶ୍ରୀକାନ୍ତଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ବିଫଳ ହୋଇଛନ୍ତି।ବିଶୃଙ୍ଖଳା କାର୍ୟ୍ୟ କରିବାରୁ ତାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଗଲା ବୋଲି ହେମାନନ୍ଦ ପୂର୍ବରୁ ଶ୍ରୀକାନ୍ତଙ୍କୁ ଚେତାଇ ଦେଇଥିଲେ।ଶ୍ରୀକାନ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଦଳରୁ ନିଲମ୍ବିତ ଓ ଆବଶ୍ୟକ ପଡ଼ିଲେ ବହିଷ୍କାର କରାଯାଇ ପାରେ ବୋଲି ସେ ଚେତାଇ ଦେଇଥିଲେ।ଅବଶ୍ୟ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଘଟଣାରେ ଶ୍ରୀକାନ୍ତଙ୍କ ହାତଥିବା ଜଣାପଡ଼ିଗଲା ପରେ ଶୃଙ୍ଖଳା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟେଇ ଦିଆଗଲା।ଏହି କାର୍ୟ୍ୟାନୁଷ୍ଠାନ ଶ୍ରୀକାନ୍ତଙ୍କୁ ଅତିଷ୍ଠ କରିଥିଲା।ତା’ପରେ ସାମ୍ବାଦିକ ସମ୍ମିଳନୀ କରି ଦଳର କାର୍ୟ୍ୟଧାରାକୁ ସେ ସମାଲୋଚନା କରିଥିଲେ।ଦଳ ପ୍ରଭାରୀ ଜିତେନ୍ଦ୍ର ସିଂହ ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ।ଏଥିସହ ତାଙ୍କର ଏହି ଦଳ ବିରୋଧୀ ଓ ଶୃଙ୍ଖଳା ଭଙ୍ଗ କାର୍ୟ୍ୟ ପାଇଁ ଶୃଙ୍ଖଳା କମିଟିକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।


