ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିକାଶ ପାଇଁ ରାଜ୍ୟ ସରକାର ଏକ ଚିଠା ନୀତି ପ୍ରସ୍ତୁତ କରିବେ । ଏଥିପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି । ଏହି କମିଟିରେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସଦସ୍ୟ ରହିବେ । ଶିଳ୍ପ ବିଭାଗର ପ୍ରମୁଖ ସଚିବ ଏହି କମିଟିର ଆବାହକ ସଦସ୍ୟ ରହିବେ । କମିଟିକୁ ଏକମାସ ମଧ୍ୟରେ ରିପୋର୍ଟ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଭିନ୍ନ ସମସ୍ୟା ଓ କଳିଙ୍ଗ ଷ୍ଟୁଡ଼ିଓର ଉନ୍ନତି ବିଷୟରେ ଆଲୋଚନା କରାଯାଇଥିଲା ।


