ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୪ଟି ଜିଲ୍ଲାରେ ବନ୍ୟା ଯୋଗୁ ପ୍ରାୟ ୩ଲକ୍ଷ ୨୫ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବର୍ଷା ଓ ବନ୍ୟାରେ ବହୁ ଚାଷଜମି ନଷ୍ଟ ହୋଇଥିବାବେଳେ ୧୨ଜଣଙ୍କ ମୃତ୍ୟୁ ଘଟିଛି । ମହାନଦୀ ଓ ଏହାର ଅବବାହିକା ଅଂଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ମହାନଦୀରେ ଆଖୁଆପଦାଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ୧୪ଟି ଜିଲ୍ଲାର ୬୨ଟି ବ୍ଲକ୍ର ୧୦୮୨ଟି ଗାଁର ୩ଲକ୍ଷ ୨୪ହଜାର ୮୫୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି । କୋରାପୁଟରେ ସର୍ବାଧିକ ୧୨ଟି ବ୍ଲକ୍ ବନ୍ୟାଜଳ ଘେରରେ ରହିଛି । ଜିଲ୍ଲାର ୮୫୦୦ ଲୋକ ଜଳବନ୍ଦୀ ରହିଛନ୍ତି । ତେବେ ସମ୍ବଲପୁରରେ ସର୍ବାଧିକ ଦେଢ଼ଲକ୍ଷ ଲୋକ, କଳହାଣ୍ଡିରେ ୧ଲକ୍ଷ ୨୨ହଜାର ଲୋକ, ପୁରୀରେ ୧୨୮୬୯ଜଣ ଲୋକ, ବରଗଡ଼ରେ ୯୧୭୦ଜଣ, ବୌଦରେ ୧୧୨୪୧ଜଣ ଲୋକ ବନ୍ୟା ଓ ବର୍ଷାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ବର୍ଷାରେ କଳାହାଣ୍ଡିରେ ସର୍ବାଧିକ ୫ଜଣ, ସମ୍ବଲପୁରରେ ୨ଜଣଙ୍କ ସମେତ ବରଗଡ଼,ଯାଜପୁର, କନ୍ଧମାଳ, କୋରାପୁଟ ଓ ସୋନପୁରରେ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି । ୯ଟି ଜିଲ୍ଲାରେ ୫୧ଟି ଅସ୍ଥାୟୀ ରିଲିଫ୍ କ୍ୟାମ୍ପ ଖୋଲାଯାଇ ୧୩,୮୦୮ଜଣ ଲୋକଙ୍କୁ ଆଶ୍ରୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଅଂଚଳରେ ୧୨ଟି ଓଡ୍ରାଫ୍ ଟିମ୍ ଓ ୮୫ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ୫ଟି ଏନଡିଆରଏଫ୍ ଟିମ୍କୁ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ ଜଗତସିଂହପୁରରେ ନିୟୋଜିତ କରାଯାଇଛି । ବନ୍ୟା ଓ ବର୍ଷାରେ ଏପର୍ଯ୍ୟନ୍ତ ୫୩୬୦ଟି ଘର ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଆସନ୍ତାକାଲି ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବାର ଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ଅଧିକ ସଙ୍ଗିନ ହେବାର ଆଶଙ୍କା କରାଯାଉଛି ।


