ଭୁବନେଶ୍ୱର : ବିଭିନ୍ନ ଦାବିରେ ଗତ ୨୩ ଦିନ ଧରି ଆନ୍ଦୋଳନ କରୁଥିବା ରାଜସ୍ୱ ଅମଲା ସଂଘ ଆଜି ତା’ର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଘୋଷଣା କରିଛି । ଶୁକ୍ରବାରଠାରୁ ସେମାନେ ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗଦେବେ । ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନରୁ ଓହରିବା ସମ୍ପର୍କରେ ଘୋଷଣା କରିଛି ।
ଆଜି ଅପରାହ୍ନରେ ମୁଖ୍ୟ ସଚିବ ଓ ରାଜସ୍ୱ ଅମଲ ସଂଘର ପଦାଧିକାରୀଙ୍କ ମଧ୍ୟରେ ବୈଠକ ପରେ ସେମାନଙ୍କ କେତେକ ଦାବିକୁ ସରକାର ତକ୍ରାଳ ମାନିନେଇଛନ୍ତି । ଆଉ କିଛି ଦାବିକୁ ସକରାତ୍ମକ ଢଙ୍ଗରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସଂଘର ସାଧାରଣ ସମ୍ପାଦକ ନରେଶ ମହାପାତ୍ର କହିଛନ୍ତି ଯେ, ସରକାରଙ୍କ ସହ ଆଲୋଚନା ସକରାତ୍ମକ ହୋଇଛି । ସରକାର କେତେକ ଦାବି ମାନିନେଇଛନ୍ତି । ତେଣୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଉଛି । ଆସନ୍ତା ଶୁକ୍ରବାରଠୁ ସମସ୍ତେ କାର୍ଯ୍ୟରେ ଯୋଗଦେବେ । ଜୁନିୟର ଲେଭେଲ୍ ଏବଂ ସିନିୟର ଲେଭେଲ୍ କ୍ଲର୍କଙ୍କୁ ରାଜସ୍ୱ ସହାୟକ ଏବଂ ବରିଷ୍ଠ ରାଜସ୍ୱ ସହାୟକ ଭାବରେ ପୁନଃନାମକରଣ କରାଯିବା ନେଇ ସରକାର ସହମତ ହୋଇଛନ୍ତି । ସେହିପରି ହେଡ୍ କ୍ଲର୍କଙ୍କୁ ସେକ୍ସନ ଅଫିସର ଏବଂ ଅଫିସ୍ ସୁପରିଟେଣ୍ଡେଣ୍ଟଙ୍କୁ ଏଷ୍ଟାବ୍ଲିସ୍ମେଣ୍ଟ ଅଫିସର ଭାବରେ ନାମକରଣ କରାଯିବ । ନୂତନ ବରିଷ୍ଠ ଏଷ୍ଟାବ୍ଲିସ୍ମେଣ୍ଟ ଅଫିସର ପଦବୀ ସୃଷ୍ଟି କରାଯିବ । ପ୍ରୋମୋସନ୍ ଏବଂ କୋଟା କ୍ଷେତ୍ରରେ ସଂଘର କେତେକ ଦାବିକୁ ସରକାର ମାନିନେଇଛନ୍ତି । ରାଜସ୍ୱ ଅମଲା ସଂଘ ନେଇ ସ୍ୱତନ୍ତ୍ର କ୍ୟାଡର୍ ସୃଷ୍ଟି କରିବା ପ୍ରସ୍ତାବ ବିଚାର କରାଯିବ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।


