ଭୁବନେଶ୍ୱର : ଓଡ଼ିଶାରେ ପ୍ରକୃତରେ ଏବେ କେତେ ସଂଖ୍ୟକ ଲୋକ ଗରିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ସତରେ କ’ଣ ଓଡ଼ିଶାର ଲୋକଙ୍କ ଅର୍ଥନୀତିକ ଅବସ୍ଥାରେ ପରିବର୍ତନ ହୋଇଛି । ଓଡ଼ିଶାର ଗରିବଙ୍କ ସଂଖ୍ୟାକୁ ଜାଣିବା ପାଇଁ ସରକାରଙ୍କ କେଉଁ ରିପୋର୍ଟ ଅବା ତଥ୍ୟକୁ ଠିକ୍ ବୋଲି ଧରାଯିବ । ଜାତୀୟ ଖାଦ୍ୟ ନିରାପତା ଆଇନରେ ଓଡ଼ିଶାର ଆଉ ୩୪.୪୪ଲକ୍ଷ ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ପରେ ରାଜ୍ୟରେ ଦାରିଦ୍ର୍ୟର ସ୍ଥିତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।
ରାଜ୍ୟ ସରକାରଙ୍କ ୨୦୧୭ ମସିହାର ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୦୪-୦୫ରୁ ୨୦୧୧-୧୨ ମସିହା ମଧ୍ୟରେ ଓଡ଼ିଶାର ୮୨ଲକ୍ଷ ଲୋକ ଦାରିଦ୍ୟ ସୀମାରେଖା ତଳେ(ବିପିଏଲ)ରୁ ଉପରକୁ ଉଠିଛନ୍ତି । ଅର୍ଥାତ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି ଓ ସେମାନେ ବିପିଏଲ୍ ବର୍ଗରୁ ସ୍ୱଚ୍ଛଳ ବର୍ଗକୁ ଉନ୍ନୀତ ହୋଇଛନ୍ତି । ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ଓଡ଼ିଶାରେ ହାରାହାରି ୩.୫୨ ପ୍ରତିଶତ ହାରରେ ୮ବର୍ଷ ମଧ୍ୟରେ ମୋଟ ୨୪.୬୧ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି । ରାଜ୍ୟର ଗ୍ରାମାଂଚଳରେ ଦାରିଦ୍ର୍ୟ ହ୍ରାସ ହାର ବେଶ୍ ସକରାତ୍ମକ । ଗ୍ରାମାଂଚଳରେ ୨୫.୧୧ ଓ ସହରାଂଚଳରେ ୨୦.୩୧ ପ୍ରତିଶତ ହାରରେ ଦାରିଦ୍ର୍ୟ ହ୍ରାସ ପାଇଛି ।
କିନ୍ତୁ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିକୁ ଅନୁଧ୍ୟାନ କରାଯାଏ ତା’ହେଲେ ଏବେ ରାଜ୍ୟରେ ମୋଟ ୩କୋଟି ୬୦ଲକ୍ଷ ୮୫ହଜାର ୯୦୭ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ରହିଛନ୍ତି । ଯେଉଁମାନେ କି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ମୁଣ୍ଡପିଛା ୫କିଲୋ ଚାଉଳ/ଗହମ ଆବଶ୍ୟକ କରୁଛନ୍ତି । ୨୦୧୧ ଜନଗଣନାର ରିପୋର୍ଟ ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୭୮ ପ୍ରତିଶତ ଲୋକଙ୍କୁ ସାମିଲ କରିବାକୁ ତତ୍କାଳୀନ ୟୁପିଏ ସରକାର ନିଷ୍ପତି ନେଇଥିଲା । ଏହି ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ମୋଟ ୪.୧୯କୋଟି ଲୋକଙ୍କ ମଧ୍ୟରୁ ୩.୨୬କୋଟି ଲୋକଙ୍କୁ ସାମିଲ କରିବାକୁ ଓଡ଼ିଶା ସରକାର ପଦକ୍ଷେପ ନେଲେ । ଅବଶ୍ୟ ଏବେ ବି ଧାର୍ଯ୍ୟ ସୀମାକୁ ପୂରଣ କରାଯାଇନି ଓ ୩.୨୩ କୋଟି ଲୋକଙ୍କୁ ଖାଦ୍ୟ ଯୋଜନାରେ ସାମିଲ କରାଯାଇଛି ।
କିନ୍ତୁ ମୁଖ୍ୟମନ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି ଯେ ରାଜ୍ୟରେ ଗତ ଦଶନ୍ଧି ମଧ୍ୟରେ ୧୪% ହାରରେ ଜନସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଯଦି ସେହି ହାରରେ ହିସାବ କରାଯିବ ତା’ହେଲେ ୨୦୧୮ ମସିହାରେ ରାଜ୍ୟର ଜନସଂଖ୍ୟା ୨୦୧୧ ମସିହା ତୁଳନାରେ ହାରାହାରି ୧୦.୨୨ ପ୍ରତିଶତ ବୃଦ୍ଧି ପାଇବ । ରାଜ୍ୟର ମୋଟ ଜନସଂଖ୍ୟା ୨୦୧୮ ମସିହାରେ ୪କୋଟି ୬୨ଲକ୍ଷ ୬୩ହଜାର ୯୮୩ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଯଦି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୭୮ ପ୍ରତିଶତକୁ ହିସାବକୁ ନିଆଯାଏ ତା’ହେଲେ ରାଜ୍ୟରେ ମୋଟ ୩କୋଟି ୬୦ଲକ୍ଷ ୮୫ହଜାର ୯୦୭ଜଣ ହିତାଧିକାରୀ ରହିବା କଥା । କିନ୍ତୁ ଏବେ ମାତ୍ର ୩.୨୬ କୋଟି ହିତାଧିକାରୀ ଥିବାରୁ ବାକି ୩୪.୪୪ ଲକ୍ଷ ନୂଆ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ମାସିକ ଚାଉଳ ଓ ଗହମ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି । ଯଦି ଓଡ଼ିଶାରେ ଏତେ ସଂଖ୍ୟକ ଲୋକ ମାସିକ ଚାଉଳ ଓ ଗହମ ପାଇବାକୁ ଯୋଗ୍ୟ ତା’ହେଲେ ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଛି ବୋଲି ଅର୍ଥନୀତିକ ସର୍ଭେରେ ଓଡ଼ିଶା ସରକାର ଦାବି କରିବା ନିଶ୍ଚିତ ଭାବେ ମୂଲ୍ୟହୀନ । ଅନ୍ୟ ଏକ ଯୁକ୍ତି ମଧ୍ୟ ଉପସ୍ଥାପନ କରାଯାଇପାରେ କି, ଓଡ଼ିଶାରେ ୨୦୧୫ ମସିହାରୁ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେଲାଣି । ଏହି ଅବଧି ମଧ୍ୟରେ କ’ଣ ଜଣେ ବି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିବାରେ ସକ୍ଷମ ହୋଇନାହାନ୍ତି । ରାଜ୍ୟରେ କ’ଣ ମାତ୍ର ୨୨ ପ୍ରତିଶତ ଲୋକ ସ୍ୱଚ୍ଛଳ ବର୍ଗର? ଯଦି ଏହା ସତ ଓ ବାସ୍ତବ ତା’ହେଲେ ସାଂଘାତିକ ବୋଲି ଚର୍ଚ୍ଚା ।


