ରାଉରକେଲା(ଓଡବ୍ଲ୍ୟୁ):ବିଶ୍ୱକପ୍ ହକି ପ୍ରତିଯୋଗିତାର ପ୍ରାୟ ମାସକ ପୂର୍ବରୁ ଭାରତୀୟ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ସବୁ ବ୍ଲକରେ ଆଷ୍ଟ୍ରେଟର୍ଫ ପଡ଼ିଆ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ରବିବାର ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ଓଡ଼ିଶା ଓ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସ୍ ଟିମର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ଅବସରରେ ଏହି ଘୋଷରା କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାର ବିକାଶ ପାଇଁ ବିଶେଷକରି ହକିର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ଭୁବନେଶ୍ୱରରେ ‘ହକିର ହାଇ ପରଫର୍ମାନ୍ସ ସେଂଟର’ ଖୋଲାଯିବ।ସୁନ୍ଦରଗଡ଼ର ଖେଳାଳୀମାନେ ଭାରତ ତଥା ବିଶ୍ୱରେ ନିଜର ଛାପ ଛାଡ଼ିଛନ୍ତି।ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଅନ୍ତର୍ଜାତିକ ଖେଳାଳୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ହକିକୁ ଅଧିକ ପ୍ରୋତ୍ସାହିତ କରାଯିବ।ରାଉରକେଲାରେ ମଧ୍ୟ ହକି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ।ହକିକୁ ରାଷ୍ଟ୍ରୀୟ କ୍ରୀଡ଼ାର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଥିଲେ।ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଓଟିଡିସି ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।


